ବାଲିଗୁଡା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ସହ ପୋଲିସ ଦଳ ଦାରିଙ୍ଗିବାଡ଼ି ଛକରେ ପେଟ୍ରୋଲିଂ ବେଳେ କାଠ ପଟା ବୋଝେଇ ମିନି ଟ୍ରକ ଜବତ କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିଲେ । ପରେ ଏହାକୁ କ.ନୂଆଗାଁ ବନାଞ୍ଚଳ ପକ୍ଷରୁ ବନାଞ୍ଚଳ ଅଧିକାରୀ ରମାକାନ୍ତି କହଁରଙ୍କ ନେତୃତ୍ୱରେ କ.ନୂଆଗାଁ ବନପାଳ ଶୁଶାନ୍ତ କୁମାର ବୈଶାଖୀ ଉକ୍ତ ପଟା ବୋଝେଇ ୨୦୭ ପିକଅପ ଗାଡି ନଂ.ଓଡ଼ି ୦୨ ସିପି ୭୬୨୭ ମିନି ଟ୍ରକକୁ ନିଜ ଅଧୀନକୁ ଆଣିଥିଲେ ।

ଉକ୍ତ ମିନି ଟ୍ରକକୁ ଯାଞ୍ଚ କରି ଶାଳ ପଟା ୧୫ ଟି, ପିଆଶାଳ ପଟା ୨୫ ଟି ଓ ଶାଳ ସାଇଜ ୪୪ ଟି ମୋଟ ୮୪ ଟି କାଠ ପଟା ଜବତ କରିବା ସହିତ ବେଆଇନ କାଠ ପଟା ପରିବହନ କରୁଥିବା ଡ୍ରାଇଭର ରାଇକିଆ ଥାନା ଅନ୍ତର୍ଗତ ସୁଗଡ ବାଡ଼ିର ବିପିନ ପ୍ରଧାନ (୩୪) ଓ ଚୋରା ଚାଲାଣ କରୁଥିବା କାଠ ମାଫିଆ ରାଇକିଆ ଥାନା ସୁଗଡବାଡିର ଚିକୁନୁ ନାୟକ (୪୩) ଏବଂ ପେଟାମାହାର ଦୀପକ କୁମାର ନାୟକ (୫୦) ତିନି ଜଣଙ୍କୁ ଗିରଫ କରିଥିଲେ ।
ଏହାକୁ ନେଇ ବନାଞ୍ଚଳ କେସ ନଂ ଓଆର ୦୩/୨୬ ପ୍ରକାରେ ଏକ ମକଦ୍ଦମା ଋଜୁ କରିବା ସହିତ ଓଡ଼ିଶା ଜଙ୍ଗଲ ଅଧୂନୀୟମ ୧୯୭୨ ର ୫୬ ଧାରା ଓ ୧୯୮୦ ର ଓଟି ଏବଂ ଓଏଫପିଟି ୪,୧୨,୧୪ ପ୍ରକାରେ କୋର୍ଟ ଚାଲାଣ କରାଯାଇଛି । ଏହି ମିନି ଟ୍ରକଟି ପଟା ବୋଝେଇ କରି କୋଟଗଡ଼ ବନାଞ୍ଚଳରୁ ରାଇକିଆ ନେଉଥିବା ବେଳେ ଚାଲାଣକାରିଙ୍କ ଠାରୁ ୧୯୮୦୦ ନଗଦ ଟଙ୍କା ଜବତ କରିଛି । ଏହି ପଟା ଜବତ କାର୍ଯ୍ୟରେ ବନପାଳ ସନ୍ତୋଷ କୁମାର ସେନାପତି, ବନରକ୍ଷୀ ସୁଜାତା ସାହୁ, ମନୋଜ କୁମାର ପ୍ରଧାନ,ମହେଶ ପ୍ରଧାନ ସମେତ ବନ ସୁରକ୍ଷା ସଦସ୍ୟ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।














