No Result
View All Result
ଗୋପ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଭାରତୀୟ ଜନତା ପାର୍ଟି (ବିଜେପି)ର ୪୭ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବ୍ୟାପୀ ଚାଲିଥିବା ‘ଗାଁ କୁ ଚାଲ’ ଅଭିଯାନର ଶୁଭାରମ୍ଭ ଗୋପ ଗ୍ରାମ ପଞ୍ଚାୟତର ଦଳିତ ବସ୍ତି ଉଦୟଗିରିସାହି ରୁ ବଣିଆସାହି ପର୍ୟ୍ୟନ୍ତ ହୋଇଛି । ଏପ୍ରିଲ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନ ମାଧ୍ୟମରେ ବିଜେପି ଗ୍ରାମ ସ୍ତରରେ ସଙ୍ଗଠନକୁ ଆହୁରି ସକ୍ତିଶାଳୀ କରିବା ସହ ଲୋକଙ୍କ ସମସ୍ୟାକୁ ସିଧାସଳଖ ଶୁଣିବା ଓ ସମାଧାନ କରିବାରେ ଗୁରୁତ୍ୱ ଦେଉଛି ।

ଏହି ଅଭିଯାନର ଶୁଭାରମ୍ଭ ପଞ୍ଚାୟତର ପୂର୍ବତନ ସରପଞ୍ଚ, ପୁରୀ ଜିଲ୍ଲାର ପୂର୍ବତନ ସାଧାରଣ ସଂପାଦକ ଓ ଗୋପ ବ୍ଲକ ସାଂସଦ ପ୍ରତିନିଧି ସୁଶାନ୍ତ ସ୍ୱାଇଁ (ଟୁଲୁ)ଙ୍କ ନେତୃତ୍ୱରେ ହୋଇଥିଲା । ଦଳିତ ବସ୍ତିରୁ ଅଭିଯାନ ଆରମ୍ଭ କରାଯିବା ବିଜେପିର ସମାବେଶୀ ରାଜନୀତି ଓ ସମାଜର ସମସ୍ତ ଶ୍ରେଣୀଙ୍କୁ ସମାନ ଗୁରୁତ୍ୱ ଦେବାର ଏକ ସ୍ପଷ୍ଟ ସନ୍ଦେଶ ବୋଲି ମନେ କରାଯାଉଛି ।
ଅଭିଯାନ ଅବସରରେ ଗ୍ରାମରେ ଏକ ବିରାଟ ଶୋଭାଯାତ୍ରା ଓ ସାମୁହିକ ସମାଗମ ଆୟୋଜିତ ହୋଇଥିଲା । ବିଜେପିର ପତାକା ଓ ବ୍ୟାନର୍ରେ ସଜିଥିବା ଏହି ଯାତ୍ରାରେ ସ୍ଥାନୀୟ ନେତାମାନଙ୍କ ସହ ଗ୍ରାମବାସୀଙ୍କ ଉତ୍ସାହଭରା ସହଭାଗିତା ଦେଖାଯାଇଥିଲା । ବ୍ୟାନର୍ଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ରାଜ୍ୟ ଓ ଜିଲ୍ଲା ସ୍ତରର ନେତୃତ୍ୱର ଛବି ସ୍ଥାନ ପାଇଥିଲା, ଯାହା ଦଳର ଏକତା ଓ ସଂଗଠନ ଶକ୍ତିକୁ ପ୍ରତିଫଳିତ କରୁଥିଲା ।
ସଭାକୁ ସମ୍ବୋଧିତ କରି ସୁଶାନ୍ତ ସ୍ୱାଇଁ କହିଥିଲେ, “ବିଜେପି ତ୍ୟାଗ, ତପସ୍ୟା ଓ ବଳିଦାନର ଆଦର୍ଶରେ ଗଢ଼ିଉଠିଛି। ସେବା ହେଉଛି ଆମର ପ୍ରଥମ ପ୍ରତିବଦ୍ଧତା। ଆମେ ଲୋକଙ୍କ ନିକଟକୁ ପହଞ୍ଚି ତାଙ୍କର ସମସ୍ୟା ବୁଝିବା ସହ ସରକାରଙ୍କ ଯୋଜନାଗୁଡ଼ିକୁ ସିଧାସଳଖ ଲାଭାନ୍ବିତଙ୍କ ପାଖରେ ପହଞ୍ଚାଇବାରେ ନିଷ୍ଠାବାନ।” ସେ ଆହୁରି କହିଥିଲେ ଯେ, ଲୋକମତ ଓ ପରାମର୍ଶକୁ ଗୁରୁତ୍ୱ ଦେଇ ଆଗାମୀ କାର୍ଯ୍ୟଯୋଜନା ତିଆରି କରାଯିବ।
ଏହି ଅଭିଯାନରେ ଶକ୍ତି କେନ୍ଦ୍ର ପ୍ରମୁଖ ପୂର୍ଣ୍ଣ ଚନ୍ଦ୍ର ନାୟକ, ମଣ୍ଡଳ ସାଧାରଣ ସମ୍ପାଦକ ରଞ୍ଜନ ବିଶ୍ଵାଳ,ବରିଷ୍ଠ ନେତା ବସନ୍ତ ସେନାପତି, ଚିତ୍ତରଞ୍ଜନ ବେହେରା, ବୁଥ୍ ସଭାପତି ଦୀପକ କୁମାର ଦାଶ, ଯୁବ ନେତା ଦୀପକ ପୋଲେଇ, ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ଶିବାନୀ ଶଙ୍କର ସେଠୀ, ମଦନ ବେହେରା, ପଞ୍ଚାୟତ ସଭାନେତ୍ରୀ ଅନୁଶୟା ମଲ୍ଲିକ, ବାବୁଲା ଭୋଇ, ଟୁଲୁ ପାଇକରାୟ ସହ ସମସ୍ତ ବୁଥ୍ ଓ ୱାର୍ଡ ସଭାପତିମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।
ନେତାମାନେ ବିଜେପିର ଆଦର୍ଶ, ସଂଗଠନ ଗଢ଼ିଉଠିବାର ସଂଘର୍ଷ ଓ ବିଭିନ୍ନ ଲୋକକଲ୍ୟାଣକାରୀ ଯୋଜନା ବିଷୟରେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ। ବିଶେଷ କରି ସ୍ଥାନୀୟ ନେତୃତ୍ୱ ସହ ବିଧାୟିକା ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଯୋଜନାଗୁଡ଼ିକୁ ପ୍ରତ୍ୟେକ ଘରକୁ ପହଞ୍ଚାଇବା ଓ ଲୋକଙ୍କୁ ସଶକ୍ତ କରିବା ନେଇ ପ୍ରତିବଦ୍ଧତା ବ୍ୟକ୍ତ କରାଯାଇଥିଲା।
‘ଗାଁ କୁ ଚାଲ’ ଅଭିଯାନ କେବଳ ଏକ ସଂଗଠନାତ୍ମକ କାର୍ଯ୍ୟକ୍ରମ ନୁହେଁ, ବରଂ ଗ୍ରାମୀଣ ଅଞ୍ଚଳରେ ସରକାରୀ ଯୋଜନାର ପ୍ରଭାବ ଆକଳନ, ଲୋକଙ୍କ ସହ ସମ୍ପର୍କ ସ୍ଥାପନ ଓ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ ପ୍ରଭାବଶାଳୀ ମଞ୍ଚ ଭାବେ ଉଦ୍ଭାସିତ ହେଉଛି । ଆଗାମୀ ଦିନରେ ଗୋପ ଗ୍ରାମ ପଞ୍ଚାୟତର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି ଅଭିଯାନକୁ ବିସ୍ତାର କରାଯିବାର ଯୋଜନା ରହିଛି, ଯାହା ମାଧ୍ୟମରେ ବିଜେପି ଗ୍ରାମ ସ୍ତରରେ ତାଙ୍କର ଭିତ୍ତିକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ।

No Result
View All Result