ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର,ରବିବାର ) ବ୍ରହ୍ମପୁର :- ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି ପକ୍ଷରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ ଜାରି ରହିଛି । ସପ୍ତାହରେ ଅନ୍ୟୁନ ଜଣେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସଫା କରିବାକୁ ନିଷ୍ପତ୍ତି ନେଇ ସଂଗଠନ ପକ୍ଷରୁ ଏହି କାର୍ଯ୍ୟ ଗତ ୪ସପ୍ତାହ ଧରି ଆରମ୍ଭ କରାଯାଇଛି । ଆଜି ୪ର୍ଥ ସପ୍ତାହ ଅବସରରେ ତଥା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରର ଗାନ୍ଧିଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସଫା କରାଯାଇଥିଲା। ପରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଜାତିର ପିତାଙ୍କୁ ସ୍ମରଣ କରାଯାଇଥିଲା । ଏଥିରେ ସଂଗଠନର ବହୁ ସଦସ୍ୟ ଯୋଗ ଦେଇଥିବା ବେଳେ କିନ୍ନରଙ୍କ ସଂଘ ପକ୍ଷରୁ ଲଭଲି ଗ୍ରୁପର ସଦସ୍ୟମାନେ ସାମିଲ ହୋଇଥିଲେ ।
ଆଜିର ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଟିମ କ୍ଲିନ ସିଟିର ମହିଳା ଶାଖାର ସଦସ୍ୟମାନଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା । ଏଥିରେ ଟିମର ପ୍ରତିଷ୍ଠାତା ସଦସ୍ୟା ରଶ୍ମିରେଖା ମିଶ୍ର, ଅଞ୍ଜଳି ମହାନ୍ତିଙ୍କ ସମେତ ସଂତୋଷିନି, ପଦ୍ମିନୀ ମିଶ୍ର, ସ୍ମିତା, ସାନି ମିଶ୍ର, ପ୍ରୀତି ଓ ଲଭଲି ପ୍ରମୁଖ ସାମିଲ ହୋଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଟିମର କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ୩ଜଣ ନୂତନ ସଦସ୍ୟ ଟିମରେ ପଞ୍ଜିକୃତ ହୋଇଥିଲେ । ଟିମ ପକ୍ଷରୁ ଆଜି ପ୍ରାୟ ୪୦ଜଣ ସଦସ୍ୟ/ସଦସ୍ୟା ସ୍ୱତଃପ୍ରବୃତ ଭାବେ ମରଣୋତ୍ତର ଚକ୍ଷୁଦାନ କରିବାକୁ ସାମୁହିକ ଶପଥ କରି ପଞ୍ଜିକରଣ କରିଥିଲେ। ଆଗାମୀ ଦିନରେ ସଂଗଠନ ପକ୍ଷରୁ ଏଭଳି ସାମାଜିକ କାର୍ଯ୍ୟ ଜାରି ରହିବ ବୋଲି ଜଣାପଡିଛି । (ଶେଷଦେବ ସାହୁ/ଗଞ୍ଜାମ ଜିଲ୍ଲା ବ୍ୟୁରୋ)