ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନିପ୍ର ) :- ପୁରୀ ବାଙ୍କୀମୁଁହଣ ରାମଚଣ୍ଡୀ ସାହିରେ ଅବସ୍ଥିତ ପଞ୍ଚମୁଖୀ ମହାବୀର ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ତିନି ଦିନ ଧରି ଯଜ୍ଞ ଓ ବିଭିନ୍ନ ପୂଜା ନୀତି ଆୟୋଜିତ ହୋଇଥିଲା। ବିଗ୍ରହ ସ୍ଥାପନା ପୂର୍ବରୁ ଅଙ୍କୁରାରୋପଣ, କଳସ ଯାତ୍ରା, ସାଳ ପୂଜା ପରି ପାରମ୍ପରିକ କାର୍ଯ୍ୟ ସଂପନ୍ନ ହୋଇଥିଲା। ପରେ ତିନିଦିନିଆ ଯଜ୍ଞ ଆରମ୍ଭ ହୋଇ ବିଧିବଦ୍ଧ ଭାବେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ପାରମ୍ପରିକ ପୂଜା ପ୍ରଥାକୁ ଅବିକଳ ରଖି ଏହିଥର ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ସ୍ଥାପନା କରାଯାଇଛି।
ପ୍ରଥମେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା, ପରେ ଯଜ୍ଞ ଓ ପ୍ରାଣ ପ୍ରତିଷ୍ଠା ନୀତି ଅନୁଷ୍ଠିତ ହୋଇଥିଲା। ଏହି ପବିତ୍ର କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଶ୍ରୀ କୀର୍ତନ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ସବିତା ପଣ୍ଡା ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ପରିଚାଳନା କମିଟିର ସଭାପତି ଗିରିଶ କୁମାର ପ୍ରଧାନ, ସମ୍ପାଦକ କୃଷ୍ଣ ଚନ୍ଦ୍ର ମିଶ୍ର ଓ କୋଷାଧ୍ୟକ୍ଷ ମାନସ କୁମାର ମହାପାତ୍ରଙ୍କ ସହ କାର୍ଯ୍ୟକାରୀ ସଦସ୍ୟମାନେ—ସୁଦର୍ଶନ ପୃଷ୍ଟି, ଦିଲୀପ କୁମାର ଦାସ, ଅଶ୍ୱିନୀ କୁମାର ତ୍ରିପାଠୀ, ଜଗନ୍ନାଥ ବେହେରା, ନୀଳକଣ୍ଠ ବେହେରା, ଚକ୍ରଧର ମାଣିକ ଓ ଠାକୁର ପ୍ରସାଦ ସାହୁ—କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ମୁହିଁଗଲା ଓ ଭକ୍ତମାନଙ୍କର ବ୍ୟାପକ ଭିଡ଼ ଦେଖାଯାଇଥିଲା।
















