ରଣପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ୨୦୨୭ ଜନଗଣନା ଅଭିଯାନର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ତିନି ଦିନିଆ ଗଣନାକାରୀ ଓ ସୁପରଭାଇଜର ତାଲିମ ଶିବିର ରଣପୁରରେ ସଫଳତାର ସହ ଶେଷ ହୋଇଛି । ଏହି ତାଲିମ ଶିବିର ରଣପୁର ତହସିଲ ଓ ବିଜ୍ଞାପିତ ପରିଷଦର ମିଳିତ ପ୍ରୟାସରେ ଆୟୋଜିତ ହୋଇଥିଲା । ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହୋଇ ଅପ୍ରେଲ ୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା

ଏହି ତାଲିମ କାର୍ଯ୍ୟକ୍ରମ ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ ଓ ବିଜ୍ଞାପିତ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ରଙ୍କ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ପରିଚାଳିତ ହୋଇଥିଲା ।ତାଲିମ ଶିବିରରେ ଅତିରିକ୍ତ ତହସିଲଦାର ବିଜୟ କୁମାର ବାରିକ ଅଧିକାରୀ ଭାବେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ନିରୀକ୍ଷଣ କରିଥିଲେ ।

ପ୍ରଶିକ୍ଷକ ଭାବେ ଶକ୍ତି ପ୍ରସାଦ ଆଚାର୍ଯ୍ୟ, ଗୋଦାବରୀ ନାୟକ, ବସନ୍ତ କୁମାର ସାହୁ, ଖିରୋଦ ଚନ୍ଦ୍ର ରାଉତରାୟ, ଗୋପୀନାଥ ପ୍ରଧାନ ଓ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ତାଲିମ ଶିବିର ପରିଚାଳନାରେ ସି.ଆର.ସି.ସି ସୁଧାକର ମିଶ୍ର, ସୁଶୀଲ କୁମାର ରଣା, ପୂର୍ଣ୍ଣଚନ୍ଦ୍ର ଜେନା, ସିମାଞ୍ଚଳ ସିଠ, ଶିବନାରାୟଣ ପ୍ରଧାନ ଓ ପ୍ରଭାତ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୯୮ ଜଣ ଗଣନାକାରୀ ଓ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ତାଲିମର ଅନ୍ତିମ ପର୍ଯ୍ୟାୟରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଜନଗଣନା କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଶପଥ ପାଠ କରାଯାଇଥିଲା । ଏହି ତାଲିମ ଶିବିର ମାଧ୍ୟମରେ ଜନଗଣନା କାର୍ଯ୍ୟକୁ ସୁଚାରୁ ଓ ସଫଳ କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ସୁନିଶ୍ଚିତ ହୋଇଥିବା ମତ ପ୍ରକାଶ ପାଇଛି ।














