ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର , ଶନିବାର ) କଳାହାଣ୍ଡି :- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ଥିବା ବାଇଗା ଜନଜାତି ଆଦିବାସୀ ମାନ୍ୟତା ପାଇଁ ସଙ୍ଘର୍ଷ ଆରମ୍ଭ କରିଛି । ଏହି ଜାତିର ବଲାଙ୍ଗୀର ଜିଲ୍ଲା ଉଢାର ଗ୍ରାମର ସଦନ ପ୍ରଗଣିଆ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିଜ ଜାତି ସମ୍ପର୍କରେ ଅବଗତ କରାଇବାରେ ସକ୍ଷମ ହୋଇଛନ୍ତି । ଫଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ମଚାରୀ ଆସି ଓଡ଼ିଶାରେ ଅଳ୍ପ ସଂଖ୍ୟକ ବସବାସ କରୁଥିବା ଜନଜାତିର ଗବେଷଣା କରିଥିଲେ । ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ଆଦିବାସୀ କଲ୍ୟାଣ ବିଭାଗ ଓଡ଼ିଶାଙ୍କୁ ଫାଇଲ ନଂ ୧୭୧୧/୨୦/୨୦୧୭ (ସି ଏଣ୍ଡ ଏଲ୍ଏମ)ରେ ଆଦିବାସୀ ମାନ୍ୟତା ପାଇଁ ଜଣାଇବା ପରେ ବାଇଗା ଜନଜାତିରେ ଆନନ୍ଦର ଲହରୀ ଖେଳିଯାଇଛି ।
ଏହି ଜନଜାତି ସରକାରଙ୍କୁ କୃତଜ୍ଞତା ଜଣାଇବା ପାଇଁ ନର୍ଲା ବ୍ଳକ ଅନ୍ତର୍ଗତ ଚିଆଁପଦର ଗ୍ରାମରେ ଜନଜାତିର ବାର୍ଷିକ ସମ୍ମିଳନୀ କରାଇ ସରକାରଙ୍କ ପାଖରେ ଆଦିବାସୀ ମାନ୍ୟତା ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନେବା ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଦିବାସୀ କନ୍ଧ ସମ୍ପ୍ରଦାୟର ଭାଟ ଭାବରେ ପରିଚିତ ବାଇଗା ଜନଜାତିର ଲୋକେ କନ୍ଧମାନଙ୍କର ବିବାହ ଓ ମୃତାହତ ପରେ ଦାନ ନେଇ ପରିବାର ପୋଷଣ କରୁଥିବା ଲୋକେ ଘୁଘିଆ ବା ପ୍ରଗଣିଆ ଭାବରେ ମଧ୍ୟ ଜଣାଶୁଣା ।
ତେବେ ବିଦେଶୀ ପ୍ରଗଣିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘର ସମ୍ପାଦକ ଶୁକଦେବ ମାଝୀ, କାର୍ତ୍ତିକ ଜାନି,ତରୁଣୀସେନ ମାଝୀ,ବୁଦୁ ମାଝୀ, ମାର୍ଗଦର୍ଶକ ସୁରେଶ ଭୋଇ,କନ୍ଧ ସମାଜର ଦେବରାଜ ପାଟମାଝୀ,ସୁଧିର ମାଝୀ,ଭାସ୍କର ଭୋଇ,ଦେବ ମାଝୀ, ପ୍ରଫୁଲ୍ଲ ଭୋଇ,ନରେନ୍ଦ୍ର ପ୍ରଗଣିଆ,ସଦନ ପ୍ରଗଣିଆ, ଗବଡା ପ୍ରଗଣିଆ ସହ ମୁଖ୍ୟ ଅତିଥି ବୈଦ୍ୟରାଜ ପବିତ୍ର ଶବର ଓ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷା ଓ ସଚେତନତା ଉପରେ ମାର୍ଗଦର୍ଶନ କରିଥିଲେ। ଶିକ୍ଷାବିତ ତଥା କବି କୁଳମଣି ସାହୁ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ( ରିପୋର୍ଟ ପ୍ରଦୀପ କୁମାର ଗଉଡ)