ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର , ଶନିବାର ) ଯାଜପୁର :- ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ନେଉଳପୁର ଛକରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭଦ୍ରକରୁ ରୋଗୀ ନେଇ କଟକ ଯାଉଥିବା ଆମ୍ବୁଲାନ୍ସଟି ବାଇକକୁ ପଛ ପଟୁ ଧକ୍କା ଦେଇଥିଲା । କଟକ ଫେରୁଥିବା ଏକ ଦମ୍ପତି ଓ ତାଙ୍କ ଛୋଟ ଝିଅଟିର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକ ତିନି ଜଣ ହେଉଛନ୍ତି ସ୍ୱାମୀ, ସ୍ତ୍ରୀ ଓ ତାଙ୍କର ଛଅ-ସାତ ବର୍ଷର ଝିଅ । ସେମାନେ କଟକ ବିଡାନାଶି ଗୋପାଳସାହିର ବାସିନ୍ଦା ବୋଲି ଜଣାପଡ଼ିଛି । ମୃତକ ମାନେ ଶଙ୍କର ସାହୁ, ତାଙ୍କ ସ୍ତ୍ରୀ ମାମିନା ସାହୁ ଓ ଝିଅ ସମ୍ପୂର୍ଣ୍ଣା ସାହୁ ବୋଲି ଜଣା ପଡ଼ିଛି l
ଆମ୍ବୁଲାନ୍ସର ଚକ ଫାଟିଯିବାବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଉଛି । ଘଟଣା ସ୍ଥଳରେ ପହଞ୍ଚି ପୋଲିସ୍ ଅନୁସନ୍ଧାନ ଆରମ୍ଭ କରିଛି l ପୋଲିସ୍ ଚଣ୍ଡିଖୋଲ ଅଗ୍ନୀଶମ ବାହିନୀର ସହାୟତାରେ ମୃତ ଦେହ ତିନୋଟି ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ସ୍ଥାନୀୟ ଲୋକେ ଏହି ଦୁର୍ଘଟଣାରେ କ୍ରୋଧାନ୍ୱିତ ହୋଇ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ । ଅଗ୍ନିଶମ ବାହିନୀର କର୍ମୀମାନେ ତୁରନ୍ତ ନିଆଁ ଲିଭାଇଥିଲେ l ପୋଲିସ୍ ଆକ୍ରୋଶିତ ଜନତାଙ୍କୁ ଶାନ୍ତ କରାଇଥିଲା । ଆମ୍ବୁଲାନ୍ସର ଡ୍ରାଇଭର୍ ଘଟଣା ସ୍ଥଳରୁ କୁଆଡ଼େ ଚାଲିଯାଇଥିଲା । (ଦୀପ୍ତିମାନ ପତି /ଯାଜପୁର )