ବ୍ରହ୍ମପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ କ୍ୟାରିୟର ପ୍ରସ୍ତୁତିକୁ ସୁଦୃଢ଼ କରିବା ଏବଂ ଶିକ୍ଷା ଓ ଶିଳ୍ପ ଜଗତର ଆବଶ୍ୟକତା ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ପାଇଁ ଏକ ଦିବସୀୟ କ୍ୟାରିୟର ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି । ମାନ୍ୟବର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ପି.ଜି. କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି ।

ଏହି କର୍ମଶାଳାରେ କ୍ୟାରିୟର ସମ୍ବନ୍ଧୀୟ ମାନସିକ ଚାପ ପରିଚାଳନା, ନିଯୁକ୍ତି ଦକ୍ଷତା, ଖାଦ୍ୟ ପ୍ରଯୁକ୍ତିବିଦ୍ୟା (Food Technology) କ୍ଷେତ୍ରରେ କ୍ୟାରିୟର ଏବଂ ବ୍ୟକ୍ତିଗତ ବ୍ରାଣ୍ଡିଂ ସହ ରେଜ୍ୟୁମେ (Resume) ପ୍ରସ୍ତୁତି ଉପରେ ବିଶେଷଜ୍ଞମାନେ ସେସନ୍ ପରିଚାଳନା କରିଥିଲେ । ଏମ.କେ.ସି.ଜି. ମେଡିକାଲ କଲେଜର କ୍ଲିନିକାଲ ସାଇକୋଲୋଜିଷ୍ଟ ଡଃ ଶ୍ୟାମସିକ୍ତା ନାୟକ ମାନସିକ ଦୃଢ଼ତା ଏବଂ ସକାରାତ୍ମକ ମନୋଭାବ ଉପରେ ଗୁରୁତ୍ୱାରୋପ କରିଥିଲେ ।

ସେହିପରି ସଫ୍ଟ ସ୍କିଲ୍ ଟ୍ରେନର କର୍ପୋରେଟ୍ ନିଯୁକ୍ତିଦାତା ଶ୍ରୀ କାଳୀ ପ୍ରସାଦ ରବି ସଫ୍ଟ ସ୍କିଲ୍ ଏବଂ ସାକ୍ଷାତକାର ପାଇଁ ପ୍ରସ୍ତୁତି ଉପରେ ଏକ ଆଲୋଚନା ଚକ୍ର ସହ ‘ମକ୍ ଇଣ୍ଟରଭ୍ୟୁ’ ପରିଚାଳନା କରିଥିଲେ । ସରକାରୀ ପଲିଟେକନିକ କଲେଜର ଖାଦ୍ୟ ପ୍ରଯୁକ୍ତିବିଦ୍ୟା ବିଭାଗ ମୁଖ୍ୟ ଶ୍ରୀମତୀ ଅନିମା ମିଶ୍ର ଏହି କ୍ଷେତ୍ରର ଶିଳ୍ପ ଆବଶ୍ୟକତା ବିଷୟରେ ସୂଚନା ଦେବା ସହ ବୈଷୟିକ ପ୍ରଶିକ୍ଷଣ ଓ ପ୍ରମାଣପତ୍ରର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ ।
















