No Result
View All Result
ଖୋରଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭଳିକି ଭଳି ଆତସବାଜିର ଆଲୋକମାଳା ହରିବୋଲ ହୁଳହୁଳି ଧ୍ବନିରେ ମୁଖରିତ ହୋଇଉଠିଛି ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ପଡିଆ।ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଏହି ପ୍ରସିଦ୍ଧ ପଡିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଜନ ସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା । ପିପିଲି ଠାରୁ ୮କିମି,ଜଟଣୀରୁ ୩କିମି ଓ ଭୁବନେଶ୍ଵର ଠାରୁ କପିଳପ୍ରସାଦ ରାସ୍ତାର ୧୩କିମି ଜଟଣୀ-ପିପିଲି ରାସ୍ତାର ହରିରାଜପୂର୍ ଛକଠାରୁ ୨୦୦ମିଟର ଦୂରରେ ଅବସ୍ଥିତ ଏହି
ଐତିହାସିକ ମେଳଣ ଗଜପତି ନରସିଂହ ଦେବଙ୍କ ଶାସନ ସମୟରେ ୧୬୩୭ ଖ୍ରୀଷ୍ଟାବ୍ଦ ପୂର୍ବରୁ ଅନୁଷ୍ଠିତ ହୋଇଆସୁଥିବା ଲିଖିତ ସନ୍ଦର୍ଭରୁ ଜଣାପଡେ । ଶ୍ରୀ ଶ୍ରୀ ପଶ୍ଚିମାସମ୍ଭୁ ସୋମନାଥ ଦେବ ଏକ ସୁସଜ୍ଜିତ ଦୋଳ ବିମାନରେ ମନ୍ଦିରର ପଶ୍ଚିମ ଦ୍ୱାରରୁ ବାହାରି ବିରାଟ ପଟୁଆରରେ ମେଳଣ ପଡିଆକୁ ଯାତ୍ରା ଆରମ୍ଭ କରିଥିଲେ, ମେଳଣପଡିଆ ପ୍ରବେଶ ପଥରେ ଶ୍ରୀ ଗୋପାଳଜୀଉ ଓ ବାଳମୁକୁନ୍ଦଦେବଙ୍କସହ ମିଶିବା ପରେ ଆତସବାଜି ପ୍ରଦର୍ଶନ ଆରମ୍ଭ ହୋଇଥିଲା । ରାଜତନ୍ତ୍ର ସମୟରେ ତତ୍କାଳିନ ରାଜାଙ୍କ ଦ୍ବାରା ପ୍ରତିଷ୍ଠିତ ଦେବ ବିଗ୍ରହ ବୁଢାପଡ଼ାର ଆରାଧ୍ୟ ଶ୍ରୀ ସୋମନାଥ ଦେବ, ଛଣଘର’ର ଶ୍ରୀ ଗତେଶ୍ୱର ଦେବ,
କନ୍ତିଆ ଗ୍ରାମର ଶ୍ରୀ ବାଲୁଙ୍କେଶ୍ୱର ଦେବ ଓ ଟାଙ୍ଗି ଭଂସର ଗ୍ରାମର ଶ୍ରୀ ନୀଳକଣ୍ଠେଶ୍ଵର ଦେବ ଏହି ମେଳଣରେ ଅଂଶ ଗ୍ରହଣ କରିଥିବା ବେଳେ ବିଭିନ୍ନ ଗ୍ରାମରୁ ପ୍ରାୟ ୮୫ରୁ ଉର୍ଦ୍ଧ୍ବ ଠାକୁରଙ୍କ ଦୋଳବିମାନ ଏହି ମେଳଣରେ ମଣ୍ଡପାରୁଢ଼ ହୋଇ ଅଂଶ ଗ୍ରହଣ କରିଥିଲେ । ମେଳଣର ମୁଖ୍ୟ ଆକର୍ଷଣ ହେଉଛି ଗୋପାଳଜିଉ, ବାଳମୁକୁନ୍ଦଦେବ, ଶ୍ରୀ ପଶ୍ଚିମାସମ୍ଭୁ ସୋମନାଥ ଦେବଙ୍କ ସୁ’ସଜ୍ଜିତ ଦୋଳ ବିମାନ ସହିତ ସଲଠଣ ଓ ଆତସବାଜି ପ୍ରଦର୍ଶନ। ରଙ୍ଗ,ବେରଙ୍ଗ ଆଲୋକମାଳା ଓ ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନରେ ସମଗ୍ର ଅଞ୍ଚଳ ଝଲସି ଉଠିଥିଲା ।
ପାରମ୍ପରିକ ଘୋଡ଼ାନାଚ, ନାଗାନୃତ୍ୟ,ଭଜନ, କୀର୍ତ୍ତନ,ଘଣ୍ଟ’ଘଣ୍ଟା, ତୂରୀ,ଶଙ୍ଖ ଓ ହରିବୋଲ ହୁଳହୁଳି ଧ୍ବନିରେ ମେଳଣ ପଡିଆରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ପ୍ରାୟ ଅଧ କିଲୋମିଟରରୁ ଉର୍ଦ୍ଧ ଲମ୍ବା ରାସ୍ତାରେ ଆତସବାଜି ପ୍ରଦର୍ଶନ ହୋଇଥିଲା। ଏଥିରେ ପୁରୀ, ବ୍ରହ୍ମପୁର,ଗଞ୍ଜାମ, କଟକ,ଖୋରଧା, ଡେଲାଙ୍ଗ,କଣାସ ଅଞ୍ଚଳର ମାନସିକଧାରି ବାଣ କାରିଗରମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ହାତତିଆରି ବାଣ ରାତିର ଅନ୍ଧାର ଆକାଶରେ ରଙ୍ଗ ବେରଙ୍ଗ ଆଲୋକମାଳା ଦୃଶ୍ୟମାନ ହୋଇଥିଲା।
ମେଳଣରେ ପ୍ରାୟ ୫ରୁ ୭ଲକ୍ଷ ଲୋକଙ୍କ ସମାଗମ ହୋଇଥିବା ଲକ୍ଷ କରାଯାଇଛି,ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ପିପିଲି ଏସଡିପିଓ. ଦେବାଶିଷ ମିଶ୍ର, ଡେଲାଙ୍ଗ ଥାନା ଆଇଆଇସି ମମତା ବିଶ୍ଵାଳଙ୍କ ସମେତ ଜଣେ ଡିଏସପି,୫ଜଣ ଇନ୍ସପେକ୍ଟର,୮ଜଣ ସବ’ଇନ୍ସପେକ୍ଟର ୧୯ଜଣ ଏଏସଆଇ,୩ଜଣ ହାବିଲଦାର, ୨୫ଜଣ ସିପାହୀ, ୮୫ଜଣ ଗୃହରକ୍ଷୀ ସମେତ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଶ୍ରଦ୍ଧାଳୁଙ୍କ ସୁବିଧାପାଇଁ ଅଗ୍ନୀସମ ସେବା, ପାନୀୟ ଜଳ ଯୋଗାଣ, ସୁଚନାକେନ୍ଦ୍ର, ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର,
ଜରୁରୀ କାଳୀନ ସେବାପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ସହିତ ହାଇଟେକ୍ ମେଡିକାଲ୍ କଲେଜ୍ ପକ୍ଷରୁ ମେଗା ସ୍ବାସ୍ଥ୍ୟସେବା ଶିବିର’ର ଆୟୋଜନ କରାଯାଇଥିଲା । ଏହି ଅବସରରେ ସୋମନାଥ ୟୁଥ୍ କ୍ଳବ,ମେଳଣ ପରିଚାଳନା ପରିଷଦ,ଉତ୍କଳ ଗୌରବ ଯୁବ ସଙ୍ଗଠନ, ପଶ୍ଚିମାସମ୍ଭୁ ଯୁବ ସଙ୍ଗଠନ, ସୋମନାଥଦେବ ୟୁଥ୍ କ୍ଳବ୍, ପଶ୍ଚିମାସମ୍ଭୁ ପଞ୍ଚୁଦୋଳ କ୍ଳବ୍, ସୋମନାଥଦେବ ଦୋଳ ନିର୍ମାଣ ଓ କୁଞ୍ଜ ନିର୍ମାଣ ସମିତି, ଗଜପତି ବାସନ୍ତୀ କ୍ଲବ୍, ହରିରାଜପୁର ଗ୍ରାମବାସୀଙ୍କ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା ।

No Result
View All Result