ଓଡ଼ିଶା ତାଜା ନ୍ୟୁଜ ( ୨୫ ସେପ୍ଟେମ୍ବର ଶୁକ୍ରବାର ) ବାଲେଶ୍ୱର :- ନଭେମ୍ବର ୨୯ତାରିଖ ମଧ୍ୟରେ ଓଡ଼ିଶାରେ ଉପନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିଶନଙ୍କ ଘୋଷଣା ପରଠୁ ରାଜ୍ୟରେ ଖାଲି ପଡ଼ିଥିବା ବାଲେଶ୍ୱର ସଦର ଆସନ ପାଇଁ ପ୍ରସ୍ତୁତିକୁ ଜିଲ୍ଲା ପ୍ରଶାସନ ଚୂଡ଼ାନ୍ତ ରୂପ ଦେଇସାରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଇତିମଧ୍ୟରେ ଦୁଇଥର ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରି ନିର୍ବାଚନ ନିମନ୍ତେ ଅତିରିକ୍ତ ବୁଥ୍ ଗଠନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ଚଳିତଥର ଅଧିକ ସଂଖ୍ୟକ ବୁଥ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ନିର୍ବାଚନ ପରିଚାଳନା ନିମନ୍ତେ ନିୟୋଜିତ କର୍ମଚାରୀଙ୍କୁ ପ୍ରଶିକ୍ଷଣ, ଯାନବାହନର ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗରୁମ ଓ ଭୋଟ ଗଣତି କେନ୍ଦ୍ରର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ସୂଚନାଯୋଗ୍ୟ, ବାଲେଶ୍ୱର ସଦର ବିଜେପି ବିଧାୟକ ମଦନମୋହନ ଦତ୍ତ ଅକାଳ ମୃତ୍ୟୁ ଯୋଗୁ ଏହି ଆସନରେ ଉପନିର୍ବାଚନ ହେବ । ( ଦୀପ୍ତିମାନ ପତି / ଭଦ୍ରକ )