କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ ଜିଲ୍ଲା ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ (SVNIRTAR) ର ୫୧ତମ ପ୍ରତିଷ୍ଠା ଦିବସ ଏବଂ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠାନ ପରିସରରେ ଅତ୍ୟନ୍ତ ଉତ୍ସାହ ଓ ଗାରିମାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।

ଅନୁଷ୍ଠାନର ବୈଷୟିକ ଉପନିର୍ଦ୍ଦେଶକ ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ର ଅନୁଷ୍ଠାନ ସଫଳତାର ଶ୍ରେୟ ଛାତ୍ରଛାତ୍ରୀ, କର୍ମଚାରୀ ତଥା ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିବା ସହ ଅନୁଷ୍ଠାନର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସଂସ୍ଥାନର ନିର୍ଦ୍ଦେଶକ ଡାକ୍ତର ପତିତପାବନ ମହାନ୍ତି ନିଜ ଅଭିଭାଷଣରେ ପୁନର୍ବାସ ଶିକ୍ଷା, ଅନୁସନ୍ଧାନ ଏବଂ ଦିବ୍ୟାଙ୍ଗମାନଙ୍କ ସଶକ୍ତିକରଣ କ୍ଷେତ୍ରରେ SVNIRTAR ର ୫୧ ବର୍ଷର ନିରନ୍ତର ସେବା ଓ ସଫଳତା ପାଇଁ ଗର୍ବ ପ୍ରକାଶ କରିବା ସହ ଅନୁଷ୍ଠାନର ଉତ୍କର୍ଷତା ଏବଂ ଅନ୍ତର୍ଭୁକ୍ତିକରଣ ପ୍ରତି ଥିବା ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ମୁଖ୍ୟ ଅତିଥି ଶ୍ରୀ ସୁରେଶ ପୂଜାରୀ ରାଜ୍ୟରେ ପୁନର୍ବାସ ସେବାକୁ ସୁଦୃଢ଼ କରିବାରେ ଅନୁଷ୍ଠାନର ଅବଦାନକୁ ପ୍ରଶଂସା କରିବା ସହ ଦିବ୍ୟାଙ୍ଗମାନଙ୍କ ପାଇଁ ସମାନ ସୁଯୋଗ ତଥା ସୁଗମ୍ୟତା ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା, ଯେଉଁଥିରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ ଏବଂ ନାଟକ ପ୍ରଦର୍ଶିତ ହୋଇଥିଲା।















