No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟରେ ବିକାଶ ନାମରେ ପ୍ରାକୃତିକ ସମ୍ପଦର ଅବିଚାରିତ ଶୋଷଣ ଓ ଅତ୍ୟଧିକ ପ୍ରଦୂଷଣ ଚାଲିଥିବାରୁ ଭବିଷ୍ୟତ ପିଢ଼ି ପାଇଁ ରାଜ୍ୟ ସମ୍ବଳଶୂନ୍ୟ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଜଳ, ଜମି, ଜଙ୍ଗଲକୁ ଶସ୍ତାରେ ନିଲାମ କରି ଆଦିବାସୀ, ଦଳିତ, ଛୋଟ ଚାଷୀ ସମେତ ପ୍ରାୟ ୭୦ ପ୍ରତିଶତ ଶ୍ରମଜୀବୀ ଲୋକଙ୍କ ଜୀବିକା ସ୍ରୋତକୁ ନଷ୍ଟ କରିଦେବା କେବେ ମଧ୍ୟ ପ୍ରକୃତ ବିକାଶ ହୋଇପାରେ ନାହିଁ । ରାଜ୍ୟର ନଦୀମାନେ ଜଳଶୂନ୍ୟ ଓ ପ୍ରଦୂଷଣଗ୍ରସ୍ତ ହେଉଥିବା ବେଳେ ନିଯୁକ୍ତି ସୃଷ୍ଟି ହେଉ ନାହିଁ, କାମର ସୁଯୋଗ ମଧ୍ୟ କମିଛି ।
ଏହାର ପରିଣତିରେ ଦାଦନ ଶ୍ରମିକ ସଂଖ୍ୟା ବଢୁଛି ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ଗୁରୁତର ହେଉଛି। ଏହା ସହିତ ରାଜ୍ୟର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଏ ପର୍ଯ୍ୟନ୍ତ ଦୁର୍ବଳ ଓ ଅବହେଳିତ ଅବସ୍ଥାରେ ରହିଛି । ଏହି ପରିପ୍ରେକ୍ଷୀରେ ଲୋକଶକ୍ତି ଅଭିଯାନ, ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟ ଓ ସେଣ୍ଟର ଫର୍ କ୍ଳାଇମେଟ ଜଷ୍ଟିସ ପକ୍ଷରୁ ବିକଳ୍ପ ବିକାଶ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ସୃଷ୍ଟି ଓ ଜନ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା ୨୫ ଫେବ୍ରୁଆରୀରୁ ଉତ୍କଳ ଗୌରବ ମଧୁବାବୁଙ୍କ ଜନ୍ମପୀଠରୁ “ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ ଲୋକ ଅଧିକାର ଯାତ୍ରା”ର ଶୁଭାରମ୍ଭ ହେବ।
ଯାତ୍ରାର ଉଦଯାପନୀ ୨୨ ମାର୍ଚ୍ଚରେ ହେବ ଓ ଶେଷରେ ୨୯ ମାର୍ଚ୍ଚ, ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ଅବସରରେ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ ଆୟୋଜିତ ହେବ ବୋଲି ଆଜି ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଓ ଗାନ୍ଧୀବାଦୀ ନେତା ଡଃ ବିଶ୍ୱଜିତ୍ ପ୍ରମୁଖ ଉପସ୍ଥିତ ରହି ସୂଚନା ପ୍ରଦାନ କରିଛନ୍ତି। ଯାତ୍ରା ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବୁଦ୍ଧିଜୀବୀ, ରାଜନୈତିକ ବ୍ୟକ୍ତିତ୍ୱ, ଯୁବ ଓ ସାଧାରଣ ଲୋକଙ୍କ ସହ ସାକ୍ଷାତ କରି ବିକଳ୍ପ ବିକାଶ ମଡେଲ୍ ଉପରେ ଚର୍ଚ୍ଚା ଓ ମୌଳିକ ଅଧିକାର ସୁରକ୍ଷା ପାଇଁ ଜନ ଜାଗରଣ କରାଯିବ ।
ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ସହ ଜଳ, ଜମି, ଜଙ୍ଗଲ ସୁରକ୍ଷା ଏହି ଯାତ୍ରାର ପ୍ରଧାନ ଲକ୍ଷ୍ୟ। ଏହି ଯାତ୍ରାରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ସହ କୃଷକ ନେତା ଲିଙ୍ଗରାଜ, ଗାନ୍ଧୀବାଦୀ ନେତା ଡଃ ବିଶ୍ୱଜିତ୍, ଜନ ଆନ୍ଦୋଳନ ନେତା ନରେନ୍ଦ୍ର ମହାନ୍ତି, ଆଦିବାସୀ ନେତା ଲିଙ୍ଗରାଜ ଆଜାଦ ସମେତ ମାନବାଧିକାର କର୍ମୀ, ଗବେଷକ, ସାହିତ୍ୟିକ ଓ ସାମାଜିକ କର୍ମୀମାନେ ଅଂଶଗ୍ରହଣ କରିବେ । ଯାତ୍ରା ସମୟରେ ଯୁବ-ଛାତ୍ର ସମାଜ, ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରାକୃତିକ ସମ୍ପଦ ସୁରକ୍ଷା ଓ ସମ୍ମାନଜନକ ଜୀବନ ପାଇଁ ବିକଳ୍ପ ବିକାଶ ଉପରେ ଚର୍ଚ୍ଚା ଜାରି ରହିବ । ଏହି ଲୋକ ଅଧିକାର ଯାତ୍ରାକୁ ସଫଳ କରିବା ପାଇଁ ଓଡ଼ିଶାର ସମସ୍ତ ସଚେତନ ନାଗରିକଙ୍କୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି ।

No Result
View All Result