No Result
View All Result

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ପ୍ରଭୁକଲ୍ୟାଣ ମହାପାତ୍ର ) :- ବିଧାନସଭାକୁ ପ୍ରଥମଥର ଲାଗି ନିର୍ବାଚିତ ହୋଇ ମର୍ଯ୍ୟାଦାଜନକ ବାଚସ୍ପତି ଆସନ ଅଳଙ୍କୃତ କରିଥିବା ଯୁଧିଷ୍ଠିର ଦାସ ଅନେକ ଦୃଷ୍ଟିରୁ ଅନନ୍ୟ ଏବଂ ଅସାମାନ୍ୟ ଥିଲେ । ନିଜକୁ ଜଣେ ଯୋଗ୍ୟ ଓ ଦକ୍ଷ ବାଚସ୍ପତି ଭାବେ ପ୍ରତିପାଦିତ କରିଥିବା ଏହି ପୁଣ୍ୟାତ୍ମା ଜଣକ ଶୁଦ୍ଧ ଓଡ଼ିଆ ଭାଷାରେ ବିଧାନସଭାର ସମସ୍ତ କାର୍ଯ୍ୟ ସମ୍ପାଦନ କରି ବିରଳ ସମ୍ମାନର ଅଧିକାରୀ ହେବା ସହିତ ମାତୃଭାଷା ପ୍ରତି ତାଙ୍କର ପ୍ରଚଣ୍ଡ ମମତ୍ୱବୋଧର ପ୍ରମାଣ ମଧ୍ୟ ଦେଇଥିଲେ ।
ଯୁଧିଷ୍ଠିର ଦାସ ହେଉଛନ୍ତି ପ୍ରଥମ ତଥା ଏକମାତ୍ର ବାଚସ୍ପତି, ଯିଏକି ବିଧାନସଭାର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ହିଁ କେବଳ ସମ୍ପାଦନ କରିଥିଲେ । ଏହା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର ହୋଇଥିଲେ ସୁଦ୍ଧା ଦୃଢ଼ ମନୋବଳ, ପ୍ରତିବଦ୍ଧତା ଏବଂ ଓଡ଼ିଆ ଭାଷା ପ୍ରତି ଗଭୀର ଅନୁରକ୍ତି ଯୋଗୁଁ ସେ ଏହାର ବାସ୍ତବ ରୂପାୟନ କରି ପାରିଥିଲେ । ସେହିପରି ଏହି ମହାନୁଭବ ଜଣକ ଓଡ଼ିଶା ବିଧାନସଭାର ଏକମାତ୍ର ବାଚସ୍ପତି ଥିଲେ, ଯିଏ ଆନୁଷ୍ଠାନିକ ଶିକ୍ଷା ଲାଭରୁ ବଞ୍ôଚତ ହୋଇଥିଲେ ।
ତେବେ ନିଜର ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଓଡ଼ିଆ, ହିନ୍ଦୀ, ବଙ୍ଗଳା ଓ ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ୍ୟ ହାସଲ କରିଥିଲେ । ଏହି ସବୁ ଭାଷାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେ ଅତି ଉଚ୍ଚକୋଟିର ଆଲେଖ୍ୟ ପ୍ରସ୍ତୁତ କରିବା ସାଙ୍ଗକୁ ଘଣ୍ଟା ଘଣ୍ଟା ଧରି ଅନର୍ଗଳ ଭାଷଣ ମଧ୍ୟ ପ୍ରଦାନ କରିପାରୁଥିଲେ । ପିଲାଟି ଦିନରୁ ଅସ୍ପୃଶ୍ୟତା ନିବାରଣ, ଜମିଦାରି ପ୍ରଥାର ଉଚ୍ଛେଦ,
ବନ୍ୟା ବିପନ୍ନଙ୍କୁ ସାହାଯ୍ୟ, ପଶୁବଳି ପ୍ରଥା ସ୍ଥଗିତ, ଶିକ୍ଷାର ପ୍ରସାର, ନିଶା ନିବାରଣ ଆଦି ସାମାଜିକ ଆନ୍ଦୋଳନରେ ଜଡ଼ିତ ରହିବା ସହିତ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ଯୋଗୁ ଯୁଧିଷ୍ଠିର ଆନୁଷ୍ଠାନିକ ଶିକ୍ଷା ଲାଭ କରିବାକୁ ସମର୍ଥ ହୋଇ ନଥିଲେ । ଚାଟଶାଳୀରେ ତୃତୀୟ ଶ୍ରେଣୀ ଏବଂ ସଂସ୍କୃତ ଟୋଲରେ ମଧ୍ୟମା ପରେ ତାଙ୍କ ପାଠ ପଢ଼ାରେ ଡୋର ବନ୍ଧା ହୋଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି,
ଆନୁଷ୍ଠାନିକ ଶିକ୍ଷା ଲାଭ ବିବର୍ଜିତ ଏହି ପୁଣ୍ୟାତ୍ମା ଜଣକ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା, ଭାସ୍କର୍ଯ୍ୟ, ସ୍ଥାପତ୍ୟ ପ୍ରଭୃତିର ଶ୍ରେଷ୍ଠତ୍ୱ ବିଶ୍ୱ ଦରବାରରେ ପ୍ରତିପାଦିତ କରିବା ଲାଗି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଯେଉଁ ଉଦ୍ୟମ କରିଥିଲେ, ସେଥିପାଇଁ ସେ ଓଡ଼ିଆ ଜାତିର ଚିରନମସ୍ୟ ହୋଇ ରହିବେ । ବିଚ୍ଛିନ୍ନାଞ୍ଚଳର ମିଶ୍ରଣ, ପ୍ରବାସୀ ଓଡ଼ିଆମାନଙ୍କ ବନ୍ଧନର ସୁଦୃଢ଼ୀକରଣ ସହିତ ଆମର ସମୃଦ୍ଧ ଐତିହ୍ୟ,
ପରମ୍ପରା ପ୍ରତି ସମଗ୍ର ପୃଥିବୀର ଦୃଷ୍ଟି ଆକର୍ଷଣ କରିବା ଲାଗି “ବିଶ୍ୱ ଓଡ଼ିଆ ସମ୍ମିଳନୀ ‘ ମାଧ୍ୟମରେ ସେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଯେଉଁ ମହାର୍ଘ୍ୟ ସ୍ମାରକ ଗ୍ରନ୍ଥ ଦୁଇଟି ସଂକଳନ କରିଛନ୍ତି, ତାହା ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ ଭାବେ ବିବେଚିତ । ଓଡ଼ିଶା ବିଧାନସଭାର ୨୨ ଜଣ ବାଚସ୍ପତି ଏବଂ ୨ ଜଣ କାମଚଳା ବାଚସ୍ପତିଙ୍କ ମଧ୍ୟରୁ ଯୁଧିଷ୍ଠିର ଦାସ ଏକମାତ୍ର ଚିର କୁମାର ବା ଅବିବାହିତ ବ୍ୟକ୍ତି ଥିଲେ ।
ଆଜୀବନ ଅବିବାହିତ ଥିବା ଏହି ପୁଣ୍ୟାତ୍ମା ଜଣକ ନିଜର ଅକପଟ ସ୍ନେହ ତଥା ମହନୀୟ ବ୍ୟକ୍ତିତ୍ୱ ବଳରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ତାଙ୍କ ବିଶାଳ ପରିବାରରେ ସାମିଲ କରି ପାରିଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ଦେଶାତ୍ମବୋଧକ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ ‘କୁ ବିଧାନସଭା ଅଧିବେଶନର ଅନ୍ତିମ ଦିବସରେ ଉଦ୍ଯାପନୀ ସଙ୍ଗୀତ ରୂପେ ପରିବେଷଣ ଲାଗି ଏହି ମହାନୁଭବ ୧୯୯୪ ନଭେମ୍ବର ୭ ତାରିଖରେ ସର୍ବଦଳୀୟ ବୈଠକରେ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଥିଲେ,
ଯାହାକି ଏହାକୁ “ରାଜ୍ୟ ସଙ୍ଗୀତ ‘ ମାନ୍ୟତା ପ୍ରଦାନ ଲାଗି ସରକାରଙ୍କ ପଥ ସୁଗମ କରିଥିଲା । ଅନ୍ୟପକ୍ଷରେ ବିଧାନସଭାର ମର୍ଯ୍ୟାଦା ପରିବର୍ଦ୍ଧନ ଲାଗି ସ୍ୱର୍ଗତ ଦାସ “ସ୍ୱତନ୍ତ୍ର ଲୋଗୋ ‘ ବା ପ୍ରତୀକ ପ୍ରଚଳନ କରିଥିଲେ । ତାଙ୍କ ପୂର୍ବରୁ ରାଜ୍ୟ ସରକାରଙ୍କ “ଓଡ଼ିଶା ଶାସନ ‘ ଲୋଗ ବା ଚିହ୍ନ ବିଧାନସଭା ବ୍ୟବହାର କରୁଥିଲା । କିନ୍ତୁ ବିଧାନସଭା ବିଶେଷ ମର୍ଯ୍ୟାଦାର ଅଧିକାରୀ ବୋଲି ପ୍ରମାଣିତ କରିବା ପାଇଁ ସେ ସ୍ୱତନ୍ତ୍ର “ଲୋଗୋ ‘ ପ୍ରବର୍ତ୍ତନ କରିଥିଲେ ।
ସମଗ୍ର ଜୀବନ ଆର୍ଥିକ ସଂକଟ ଭିତରେ ଗତି କରିଥିବା ଯୁଧିଷ୍ଠିର ଦାସଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ଦୁର୍ନୀତି କିମ୍ବା ଭ୍ରଷ୍ଟାଚାର ସାମାନ୍ୟ ମାତ୍ରାରେ ସ୍ପର୍ଶ କରିପାରି ନଥିଲା । ସମ୍ଭବତଃ ସେଥିପାଇଁ ଶେଷ ସମୟରେ ଡାକ୍ତରଖାନା ଚିକିତ୍ସା ଖର୍ଚ୍ଚ ଭରଣା କରିବା ଲାଗି ବିଧାନସଭା କର୍ତ୍ତୃପକ୍ଷଙ୍କୁ ତାଙ୍କ “ଶ୍ରେଷ୍ଠ ବିଧାୟକ ପୁରସ୍କାର ‘ ଅର୍ଥରାଶି ଅଗ୍ରୀମ ପ୍ରଦାନ କରିବାକୁ ପଡ଼ିଥିଲା । ବର୍ତ୍ତମାନର କଳୁଷିତ ରାଜନୀତିରେ ତାଙ୍କ ଭଳି ଜଣେ ସାଧୁ, ସଚ୍ଚୋଟ, ସ୍ୱାଭିମାନୀ, ସ୍ନେହୀ,
ସମ୍ବେଦନଶୀଳ ରାଜନେତା ତିଷ୍ଠି ରହିଥିଲେ ବୋଲି ବର୍ତ୍ତମାନର ପିଢ଼ି ବିଶ୍ୱାସ କରିବା ସମ୍ଭବ ନୁହେଁ । ୧୯୨୩ ମସିହା ସେପ୍ଟେମ୍ବର ୨୫ ତାରିଖ ପବିତ୍ର ଦୁର୍ଗାଷ୍ଟମୀ ଦିନ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଛପଡ଼ା ପଞ୍ଚାୟତ ଅନ୍ତର୍ଗତ ରାହାଡ଼ିଙ୍ଗା ଗ୍ରାମରେ ଜନ୍ମିତ ଯୁଧିଷ୍ଠିର ଦାସ ୯୧ ବର୍ଷ ବୟସରେ ୨୦୧୪ ଫେବୃୟାରୀ ୧୮ ତାରିଖରେ ପରଲୋକ ଗମନ କରିଥିଲେ । ଋଷି ପ୍ରତିମ ଏହି ସନ୍ନ୍ୟାସୀ ରାଜନେତାଙ୍କ ଅମର ଆତ୍ମାର ସଦ୍ଗତି କାମନା ପାଇଁ ଆଜି ତାଙ୍କ ଦ୍ୱାଦଶାହ ଶ୍ରାଦ୍ଧ ବାର୍ଷିକୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।
No Result
View All Result