ବ୍ରହ୍ମପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଗୃହ ବିଜ୍ଞାନ ବିଭାଗ ପକ୍ଷରୁ “ସୌରା କଳା: ଓଡ଼ିଶାର ସ୍ୱଦେଶୀ ଅଭିବ୍ୟକ୍ତି” ଶୀର୍ଷକ ଏକ ଦୁଇ ଦିନିଆ ନିବିଡ଼ କର୍ମଶାଳା ୨୦୨୬ ଫେବୃଆରୀ ୧୦ ଓ ୧୧ ତାରିଖରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ‘ଟାଟା ସୃଜନିକା’ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୌରା ଜନଜାତିର ପାରମ୍ପରିକ କଳା ଓ ସାଂସ୍କୃତିକ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନ ଏବଂ ପି.ଜି. କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ସହଯୋଗରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ପ୍ରଶିକ୍ଷକ ଶ୍ରୀ ଦିନବନ୍ଧୁ ସୋରେନ ଜଣେ ବିଶେଷଜ୍ଞ ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସୌରା ଚିତ୍ରକଳାର ବିଭିନ୍ନ କୌଶଳ ଓ “ଇଡିତାଲ୍” (ପାରମ୍ପରିକ ଭିତ୍ତିଚିତ୍ର) ସମ୍ପର୍କରେ ହାତେହାତ ପ୍ରଶିକ୍ଷଣ ଦେଇଥିଲେ।ବିଭାଗୀୟ ସଂଯୋଜିକା ତଥା ଆବାହିକା ଶ୍ରୀମତୀ ଅଲିତା ମିଞ୍ଜ,
ଏବଂ ସଂପାଦିକା କୁମାରୀ ଅସ୍ମିତା ବେଉରା ଓ ଶ୍ରୀମତୀ ମାନସୀ ମେହେରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ଗୃହ ବିଜ୍ଞାନ ବିଭାଗର ପ୍ରଥମ ଓ ଦ୍ୱିତୀୟ ବର୍ଷର ସମସ୍ତ ପି.ଜି. ଛାତ୍ରୀ ଏଥିରେ ଅଂଶଗ୍ରହଣ କରି ସୌରା କଳାର ନିଖୁଣ ଶୈଳୀ ଶିକ୍ଷା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳାଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା, ଯାହାକୁ ବିଶ୍ୱବିଦ୍ୟାଳୟର ଅଧିକାରୀ ଓ ଅଧ୍ୟାପକ ବୃନ୍ଦ ଉଚ୍ଚ ପ୍ରଶଂସା କରିଥିଲେ ।














