କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଣ୍ଟାବାଞ୍ଜି ଲାୟନ୍ସ ପବ୍ଲିକ ସ୍କୁଲ୍ ର ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦାୟ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଝାରସୁଗୁଡ଼ାର ପ୍ରସିଦ୍ଧ ପ୍ରେରଣାଦାୟକ ବକ୍ତା ଶ୍ରୀ ବିକାଶ ସୁଲ୍ତାନିଆଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସେ ପରୀକ୍ଷାକୁ କିପରି ସଫଳତାର ସହିତ ମୁକାବିଲା କରାଯାଇ

ପାରିବ, ସେ ସମ୍ପର୍କରେ ବିଭିନ୍ନ ଉପଯୁକ୍ତ ପାଠପଢ଼ା ପଦ୍ଧତି ବ୍ୟାଖ୍ୟା କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ପରୀକ୍ଷା ପାଇଁ ପ୍ରେରିତ କରିଥିଲେ। ସମାରୋହର ଏକ ବିଶେଷ ଆକର୍ଷଣ ଥିଲା-କେଏଲପିଏସ୍ରେ ପାଠ ପଢ଼ି ସି.ଏ. ଓ ସି.ଏସ୍. ହୋଇଥିବା ୫୬ ଜଣ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ମଞ୍ଚରେ ସମ୍ମାନିତ କରାଯିବା।
ତାଙ୍କମଧ୍ୟରୁ ସି.ଏ ରିତିକା ଜେନ, ସିଏ ଚିରାଗ ଅଗ୍ରୱାଲ, ସିଏ ସଞ୍ଜନା ଅଗ୍ରୱାଲ, ସିଏ ଅଂଶୁ ଜିନ୍ଦଲ, ସିଏ ଆଞ୍ଚଳ ଅଗ୍ରୱାଲ, ସିଏ ହାସିବ ସୋଲାଙ୍କି ଓ ସିଏ ସ୍ୱପ୍ନିଲ ଜେନ -ତାଙ୍କର ପାଠପଢ଼ା ଅନୁଭବ ବିନିମୟ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ବିଦ୍ୟାଳୟ ପରିଚାଳନା ପକ୍ଷରୁ ଶଙ୍କରଲାଲ ଅଗ୍ରୱାଲ, କୈଳାଶଚନ୍ଦ୍ର ଅଗ୍ରୱାଲ, ବିଷଣଲାଲ ଅଗ୍ରୱାଲ, କୈଳାଶ ଅଗ୍ରୱାଲ, ବଜରଙ୍ଗଲାଲ ଜିନ୍ଦଲ ଓ ଅନିଲ କୁମାର ଅଗ୍ରୱାଲ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାଳୟର ଚେୟରମ୍ୟାନ୍ ଶ୍ରୀ କୈଳାଶଚନ୍ଦ୍ର ଅଗ୍ରୱାଲ ତାଙ୍କର ଜୀବନ ଅନୁଭବରୁ ଅନେକ ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ଦୃଢ଼ ସଙ୍କଳ୍ପ ଓ ଲକ୍ଷ୍ୟନିଷ୍ଠ ହେବାକୁ ପ୍ରେରଣା ଦେଇଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ଭି. ଭି. ରମଣ ମୂର୍ତ୍ତି ଦଶମ ଓ ଦ୍ୱାଦଶ ପରୀକ୍ଷାର ଜୀବନମୂଳ୍ୟ ଗୁରୁତ୍ୱ ବିଷୟରେ କଥା ରଖିଥିଲେ । ଏହି ଅବସରରେ ଶିକ୍ଷକ ଶିବ ଶଙ୍କର ଦାଶ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରି ‘ଏକ ସୁସ୍ଥ ଓ ସଫଳ ଜୀବନର ଆରମ୍ଭ ପରୀକ୍ଷା ମାଧ୍ୟମରେ ହୁଏ’ ବୋଲି କହିଥିଲେ । ସେ ପରୀକ୍ଷାରେ ୧୦୦ ପ୍ରତିଶତ ପ୍ରୟାସ ଦେବା ଏବଂ ଲକ୍ଷ୍ୟ ପ୍ରାପ୍ତି ପାଇଁ କଠିନ ପରିଶ୍ରମ କରିବାକୁ ଆହ୍ୱାନ କରିଥିଲେ । ସମାରୋହରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମ ପ୍ରେରଣା, ଆତ୍ମବିଶ୍ୱାସ ଓ ସକାରାତ୍ମକ ଚେତନାରେ ପୂର୍ଣ୍ଣ ଥିଲା ।














