ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର,ବୁଧବାର) ମୟୁରଭଞ୍ଜ :– ପ୍ରବାଦ ପୁରୁଷ ତଥା ବିଶିଷ୍ଟ ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ତଥା ମୟୂରଭଞ୍ଜର ବିଶିଷ୍ଟ ରାଜନୈତିକ ବ୍ୟକ୍ତିତ୍ବ ଲୋକନାଥ ଜେନାଙ୍କର ଆଜି ୭୩ ବର୍ଷରେ ପରଲୋକ ଘଟିଛି । କିଛିଦିନ ତଳେ ଶ୍ରୀ ଜେନା କରୋନାରେ ଆକ୍ରାନ୍ତ ହୋଇ କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହୋଇ ଘରକୁ ଫେରିବା ପରେ ଗତକାଲି ସନ୍ଧ୍ୟାରୁ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଆଜି ଶ୍ରୀ ଜେନା ପ୍ରାଣତ୍ୟାଗ କରିଥିଲେ।ବିଜୁ ବାବୁଙ୍କ ସହିତ ଜନତା ଦଳରୁ ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିବା ଶ୍ରୀ ଜେନା ଶେଷପର୍ଯ୍ୟନ୍ତ ବିଜୁ ବାବୁଙ୍କ ସହିତ ରହିଥିଲେ । ଜିଲ୍ଲାରେ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ରହିବା ସହିତ ସଂଗଠନ ପାଇଁ ସେ ନିଜକୁ ଉତ୍ସର୍ଗ କରିଥିଲେ । ଏକଦା ମୟୁରଭଞ୍ଜ ବିଜୁ ପରିବାରର ମେରୁଦଣ୍ଡ ହେବା ସହିତ ଜିଲ୍ଲା ରାଜନୀତିର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତିତ୍ବ ରହିଥିଲେ ଶ୍ରୀ ଜେନା ।
ଏପରିକି ଜନତା ଦଳ ସରକାର ସମୟରେ ସେ ନ୍ୟୁ ମୟୂରଭଞ୍ଜ ଟେକ୍ସ୍ଟାଇଲ୍ (ମୟୂରଭଞ୍ଜ ଗଞ୍ଜି କାରଖାନା) ର ଚେୟାରମ୍ୟାନ୍ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ବିଜୁ ପଟ୍ଟନାୟକଙ୍କ ଅତି ପ୍ରିୟ ‘ଲୋକା’ ଉତ୍ଥାନ ପତନ ମଧ୍ୟରେ ତାଙ୍କ ସହିତ ପ୍ରାୟ ଚାରି ଦଶନ୍ଧି ଧରି ଖୁଣ୍ଟ ଭାବେ ଠିଆ ହୋଇ ଜିଲ୍ଲାରେ ସଂଗଠନ କୁ ସୁଦୃଢ କରି ଗଢି ତୋଳିଥିଲେ । ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ ବିକ୍ରମ କେଶରୀଏବଂ କଳିଙ୍ଗ କେଶରୀ’ଙ୍କ ସହିତ ପରିବାରବର୍ଗ ଉପସ୍ଥିତ ଥିଲେ । ଶ୍ରୀ ଜେନାଙ୍କ ବଡ଼ଝିଅ ସମ୍ବଲପୁରରେ ରହୁଛନ୍ତି । ଶ୍ରୀ ଜେନାଙ୍କ ପରଲୋକରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଆଜି ସ୍ଥାନୀୟ ବାରୁଣୀ ଘାଟରେ ତାଙ୍କର ଶେଷକୃତ୍ୟୁ ସମ୍ପନ୍ନ ହୋଇଥିଲା । ଉଲ୍ଲେଖଯୋଗ୍ୟଯେ ଶ୍ରୀ ଜେନାଙ୍କର ଧର୍ମପତ୍ନୀଙ୍କର ମଧ୍ୟ ପୂର୍ବରୁ ପରଲୋକ ଘଟିସାରିଛି ( ଦୀପ୍ତିମାନ ପତି /ବାଲେଶ୍ୱର )