ଓଡ଼ିଶା ତାଜା ନ୍ୟୁଜ (୨୨ ସେପ୍ଟେମ୍ବର ମଙ୍ଗଳବାର) ନୀଳଗିରି :- ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ବରମପୁର ପଞ୍ଚାୟତରେ ବିଭିନ୍ନ କାମର ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପାଇ ଭିଜିଲାନ୍ସ ପକ୍ଷରୁ ପଞ୍ଚାୟତରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଯାଞ୍ଚ୍ କରିବା ସହ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଯେ, ନୀଳଗିରି ବ୍ଲକ ଅଧିନ ବରମପୁର ପଞ୍ଚାୟତରେ ବିଭିନ୍ନ କାମର ଅନିୟମିତତା ହୋଇଥିବା ନଜରକୁ ଆସିଥିଲା । ଏହି ପଞ୍ଚାୟତ ରେ ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ହୋଇଥିବା ବିଭିନ୍ନ କାର୍ଯ୍ୟର ଅନିୟମିତା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଥିଲା। ବରଂ ଏଭଳି ଅଭିଯୋଗକୁ ନଜର ହଟାଇବା ପାଇଁ ପଞ୍ଚାୟତ ଓ ବ୍ଲକ ଚଳଚଞ୍ଚଳ ହୋଇଉଠିଥିଲା। ଶେଷରେ ନିରାଶ ହୋଇ ଅଞ୍ଚଳବାସୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପଞ୍ଚାୟତରେ ଡ୍ରେନ କାର୍ଯ୍ୟରେ ଅନିୟମିତା ସହ କନକ ଦେହୁରୀ ଘରଠାରୁ ପୋଲ ପର୍ଯ୍ୟନ୍ତ ପକ୍କା ଡ୍ରେନ କାର୍ଯ୍ୟ ସହ ରାସ୍ତା କାମ, ସ୍କୁଲ କାମ ଓ ଷ୍ଟ୍ରିଟ୍ ଲାଇଟ ଭଳି କାର୍ଯ୍ୟର ଅନିୟମିତା ପାଇଁ ଭିଜିଲାନ୍ସ ତଦନ୍ତ ଦାବିକରିଥିଲେ ପଞ୍ଚାୟତବାସୀ ।
ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଅଞ୍ଚଳବାସୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପ୍ରୋଜେକ୍ଟ ପାସ ହୋଇଥିବା ସ୍ଥାନରେ କାର୍ଯ୍ୟ ନହେବା,ନିମ୍ନମାନର କାର୍ଯ୍ୟ ହେବା ସହ ସରକାରୀ ଅର୍ଥକୁ ଆତ୍ମସାତ କରାଯାଇଥିବା ଅଭିଯୋଗ କରିବା ସହ ତଦନ୍ତ ଦାବି କରାଯାଇଥିଲା । ଅଭିଯୋଗ ପାଇ ଭଜିଲାନ୍ସ ବିଭାଗ ତରଫରୁ ପତ୍ର ସଂଖ୍ୟା ୧୪-୯-୨୦୨୦ ତାରିଖରେ ଏହି ସବୁ କାର୍ଯ୍ୟର ଅର୍ଜିନାଲ ୱାର୍କ ଅଡର,ଏସ୍ଟିମେଣ୍ଟ ଓ ପ୍ଲାନ,ରନିଂବିଲ ଓ ଫାଇନାଲ ବିଲର କ୍ୟାସ୍ ରେକର୍ଡ ସବୁ ତଦାରଖ ପାଇଁ ଦାଖଲ କରିବାକୁ ବରମପୁର ପିଇଓ ଶାନ୍ତିଲତା ନାୟକଙ୍କୁ ପତ୍ରମାଧ୍ୟମରେ ଦର୍ଶାଯାଇଥିଲା । ମଙ୍ଗଳବାର ଭିଜିଲାନ୍ସ ଅଧିକାରୀ ବରମପୁର ପଂଚାୟତରେ ପହଁଞ୍ଚି ଅଭିଯୋଗ ହୋଇଥିବା ୧୧ ଟି କାର୍ଯ୍ୟର କାଗଜପତ୍ର ଯାଞ୍ଚ କରିବା ସହିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପତ୍ର ଜବତ କରିଥିବା ସୂଚନା ମିଳିଛି । ଏଭଳି ଭିଜିଲାନ୍ସ ବିଭାଗର ଅଚାନକ ଚଢ଼ାଉ ପରେ ବରମପୁର ପଞ୍ଚାୟତ ସମେତ ନୀଳଗିରି ବ୍ଲକରେ ଛନକା ପଶିଥିବା ଜଣାପଡିଛି । (ଦୀପ୍ତିମାନ ପତି /ବାଲେଶ୍ୱର)