ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏସ୍ଡିପିଓ ମଦନ ମୋହନ ପ୍ରଧାନ ଜଣେ ଅଭିଯୋଗକାରିଣୀଙ୍କୁ ଦୁର୍ବବ୍ୟବହାର କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗକାରିଣୀ ଫତେଗଡ଼ ଥାନା ଅନ୍ତର୍ଗତ ଭଗବନାପୁର ଗ୍ରାମର ମଞ୍ଜୁ ଦଳେଇ ଡିଜିଙ୍କ ପରାମର୍ଶ କ୍ରମେ ଆଜି ନୟାଗଡ଼ ଏସ୍ପିଙ୍କୁ ଭେଟି ସମସ୍ତ ଘଟଣା ଜଣାଇଛନ୍ତି । ଏସ୍ଡିପିଓଙ୍କ ମନମୁଖୀ କାର୍ଯ୍ୟ ସମେତ ମଞ୍ଜୁଙ୍କ ପ୍ରତି ଅଶାଳୀନ ବ୍ୟବହାର ଓ ନିର୍ଯ୍ୟାତନା ଦେବା ନେଇ ପୁଲିସ ମହାନିର୍ଦ୍ଦେଶକଙ୍କୁ ଅଭିଯୋଗ କରିଥିଲେ ।

ଏହି ଘଟଣା ବୁଝିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ନୟାଗଡ଼ ଏସ୍ପିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଆଜି ପୀଡ଼ିତା ଏସ୍ପିଙ୍କୁ ଭେଟିବା ସହ ଗଣମାଧ୍ୟମ ଆଗରେ ସମସ୍ତ ଘଟଣା ବଖାଣିଛନ୍ତି । ଫତେଗଡ଼ ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ଏହି ମହିଳାଙ୍କ ପରିବାର ସହ ଉକ୍ତ ଗ୍ରାମର ଅନ୍ୟ ଏକ ପରିବାର ମଧ୍ୟ ବାଦବିବାଦ ରହିଥିଲା । ଯାହାକୁ ନେଇ ଉକ୍ତ ପରିବାରର ୩ ପୁଅ ଅକୃର ଦଳେଇ, ମାଧବ ଦଳେଇ, ଅଭିରାମ ଦଳେଇ ତାଙ୍କୁ ମାନସିକ ଓ ଶାରୀରିକ ଭାବେ ଆକ୍ରମଣ କରୁଥିଲେ । ଏନେଇ ପୀଡ଼ିତା ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ ।
ବାରମ୍ବାର ଏହାକୁ ନେଇ ଆପୋଷ ସମାଧାନ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନଥିଲା । ଯାହାକୁ ନେଇ ତାଙ୍କ ଏତଲାକୁ ଫତେଗଡ଼ ପୁଲିସ ପଞ୍ଜିକରଣ କରିନଥିଲା । ଫଳରେ ସେ ଭାପୁରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣିରେ ମଧ୍ୟ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଖଣ୍ଡପଡ଼ା ଏସ୍ଡିପିଙ୍କୁ ଘଟଣା ବୁଝିବାକୁ କହିଥିଲେ । ଖଣ୍ଡପଡ଼ା ଏସ୍ଡିପିଓ ତାଙ୍କୁ କାର୍ଯ୍ୟାଳୟକୁ ଡାକି ଧମକ ଦେବା ସହ ଲାଞ୍ଚ ମାଗିବା ଏବଂ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରିଥିବା ନେଇ ପୁଲିସ ମହାନିର୍ଦ୍ଦେଶକଙ୍କୁ ଅଭିଯୋଗ ହୋଇଛି ।















