ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଅନେକ ଅସହାୟ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ପେଟପାଟଣା ପାଇଁ ପୁରୀ ସହରରେ ବୁଲି ଭିକ୍ଷା ବୃତ୍ତି କରିଥାନ୍ତି । ରାତି ହେଲେ ଏମାନେ କେଉଁଠି ମୁଣ୍ଡ ଗୁଞ୍ଜିବେ ସେହି ଚିନ୍ତାରେ ପଡ଼ିଥାନ୍ତି। ତେଣୁ ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ ଏପରି କି ଦୋକାନ ବାରଣ୍ଡାରେ ଶୋଇପଡନ୍ତି । ପୁଣି ସକାଳ ହେଲେ ଭିକ୍ଷାବୃତ୍ତିରେ ବାହାରି ପଡନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ, ବଡ଼ଦାଣ୍ଡ ସମେତ ବିଭିନ୍ନ ଗଳିକନ୍ଦିରେ ଏମିତି ଅସହାୟ ଲୋକଙ୍କୁ ଦେଖିବାକୁ ମିଳିଥାଏ ।

ବର୍ତ୍ତମାନ ପ୍ରବଳ ଶୀତ ପଡୁଛି । ଅନେକ ଅସହାୟ ବ୍ୟକ୍ତି ଖୋଲା ଆକାଶ ତଳେ ରାତି କାଟୁଥିବା ଦେଖିବାକୁ ମିଳୁଛି । ତେଣୁ ଏହିପରି ନିରାଶ୍ରୟ, ଅସହାୟ ଓ ଭିକ୍ଷୁକ ମାନଙ୍କର କଲ୍ୟାଣ, ସୁରକ୍ଷା, ଉଦ୍ଧାର ଏବଂ ପୁନର୍ବାସ ସମ୍ପର୍କିତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏସପି ପ୍ରତୀକ୍ ସିଂ ।
ବିଭିନ୍ନ ଥାନାଧିକାରୀ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀଙ୍କୁ ଏମାନଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ । ଡିସେମ୍ବର ୧୫ରୁ ଜାନୁୟାରୀ ୧୫ ମାସକ ମଧ୍ୟରେ ଭିକ୍ଷାବୃତ୍ତି କରୁଥିବା ୧୫ ଜଣ ଅସହାୟଙ୍କୁ ଉଦ୍ଧାର କରାଯାଇଛି । ଓଡ଼ିଶା ପତିତ ଉଦ୍ଧାର ସମିତି (ଓପିୟୁଏସ୍) ସହାୟତାରେ ଏମାନଙ୍କୁ ଉଦ୍ଧାର କରାଯାଇ ସର୍ବୋଦୟନଗର ସ୍ଥିତ ଆଶ୍ରୟ ସ୍ଥଳରେ ରଖାଯାଇଛି । ଏହି ପରି ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ପୁରୀ ଶ୍ରୀ ସିଂ କହିଛନ୍ତି ।














