ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ସୋମବାର) ପଦ୍ମପୁର :- ସଂପ୍ରତି କେନ୍ଦ୍ର ସରକାରଙ୍କ ପ୍ରଣିତ ଜାତୀୟ ଶିକ୍ଷା ନିତି – ୨୦୨୦ ରେ ମାତୃଭାଷା ତଥା ଆଞ୍ଚଳିକ ଭାଷାରେ ପ୍ରାଥମିକ ସ୍ତରରେ ଶିକ୍ଷାଦାନକୁ ଗୁରୁତ୍ବ ଆରୋପ କରା ଯାଇଛି । ଏହି କ୍ରମରେ ପଶ୍ଚିମ ଓଡିଶାରେ ସମ୍ବଲପୁରୀ ଭାଷାରେ ପ୍ରାଥମିକ ଶିକ୍ଷାଦାନ ପାଇଁ ଦୀର୍ଘ ଦିନରୁ ହୋଇ ଆସୁଥିବା ଦାବିରେ ସଂଚାର ହୋଇଛି । ସମଗ୍ର ଓଡ଼ିଶାର ଅର୍ଦ୍ଧେକ ଅଞ୍ଚଳରେ ପ୍ରାୟ ଦୁଇ କୋଟିରୁ ଅଧିକ ଲୋକ ବ୍ଯବହାର କରୁଥିବା ସମ୍ବଲପୁରୀ କୋଶଲି ଭାଷା – ସାହିତ୍ୟର ଭଣ୍ଡାର ସଂବୃଦ୍ଧ ହୋଇ ଚାଲିଛି । ନାଟକ ଏବଂ ଚଳଚିତ୍ର ଗୁଡିକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇ ନିଜର ପରିଚୟ ସୃଷ୍ଟି କରି ପାରିଛି । ଏହି ଭାଷାର ସାରସ୍ବତ ସାଧକଙ୍କୁ ପଦ୍ମଶ୍ରୀ ପୁରସ୍କାର, ଭାଷା ସମ୍ମାନ ପ୍ରଭୃତି ମିଲି ସାରିଛି । କିଛି ବିଦ୍ୟାଳୟରେ ଉକ୍ତ ଭାଷାକୁ ଅନୌ ପଚାରିକ ମାଧ୍ୟମ ଭାବେ ବ୍ଯବହାର କରା ଯାଉଛି ।
ତେଣୁ ଏହି ସ୍ବୟଂ ସଂପୂର୍ଣ୍ଣ ସମ୍ବଲପୁରୀ କୋଶଲି ଭାଷାକୁ ପଶ୍ଚିମ ଓଡିଶାର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନର ମାଧ୍ୟମ ଭାବେ ବ୍ଯବହାର ହେଲେ ଭାଷାଗତ ସମସ୍ୟାର ସମ୍ମୁଖୀନ ହେଉଥିବା ଛୋଟ ପିଲା ମାନେ ବହୁଳ ଭାବେ ଉପକୃତ ହୋଇପାରିବେ । ତେଣୁ ଏ ଧାରାକୁ ତ୍ବରାନ୍ବିତ କରିବା ପାଇଁ ପଶ୍ଚିମ ଓଡିଶାର ସାହିତ୍ୟ,ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ଶିକ୍ଷାବିତ ପ୍ରମୁଖ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକତା ରହିଛି ବୋଲି ଜାତୀୟ ଶିକ୍ଷାନିତି ଉପରେ ଆୟୋଜିତ ଏକ ୱେବନିଅରରେ ମତ ପ୍ରକାଶ ପାଇଛି । ଛଁଏରା କୁଟୁମ କୁଚିପାଲି ଆନୁକୂଲ୍ୟରେ ଫେସବୁକ ପେଜରେ ଆୟୋଜିତ ” ଜାତୀୟ ଶିକ୍ଷାନିତି – ୨୦୨୦ ରେ ସମ୍ବଲପୁରୀ କୋଶଲି ଭାଷାରେ ପ୍ରାଥମିକ ଶିକ୍ଷାଦାନ ସଂଭାବନା ” ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଥିଲା । ଗାଳ୍ପିକ ସତ୍ଯ ପ୍ରକାଶ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଶିଷ୍ଟ ଶିକ୍ଷାବିତ ଟେକଚାନ୍ଦ ଦୁଆନ,ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ଶିକ୍ଷକ ନେତ୍ରାନନ୍ଦ ପ୍ରଧାନ ଆଲୋଚନା ଭାବରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦେବେଶ ସାହୁ ସହଯୋଗ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)