ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ରେଳ କର୍ମଚାରୀ ଓ ସେମାନଙ୍କର ପରିବାର ସଦସ୍ୟ ମାନଙ୍କ ନିମନ୍ତେ ଆୟୋଜିତ ଶୀତକାଳୀନ କ୍ରୀଡା–୨୦୨୬ ର ଉଦ୍ଘାଟନ ଆଜି ଅପରାହ୍ନରେ ପୂର୍ବତଟ ରେଳପଥ କ୍ରୀଡା ସଂଗଠନ କ୍ରୀଡା ପରିସର’ର ଇଣ୍ଡୋର ବ୍ୟାଡମିଣ୍ଟନ ହଲ୍ ଠାରେ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଆୟୋଜନ କରାଯାଇଅଛି ।

ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୀତକାଳୀନ କ୍ରୀଡା-୨୦୨୬କୁ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପ୍ରଦୀପ କୁମାର ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି)ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ,ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ)ଖୋର୍ଦ୍ଧା ରୋଡର ସଭାପତି ଶ୍ରୀମତୀ ଦିବ୍ୟା ତ୍ରିପାଠିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ତ୍ରିପାଠୀ ଶାରୀରିକ ଓ ମାନସିକ ସୁସ୍ଥତା ଏବଂ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ମଧ୍ୟରେ ଏକତା ବଜାୟ ରଖିବାରେ କ୍ରୀଡା ଏବଂ ଖେଳର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।ସେ ଅଂଶ ଗ୍ରହଣକାରୀ ମାନଙ୍କୁ ଶୃଙ୍ଖଳା, ସମର୍ପଣ ଏବଂ ପ୍ରକୃତ କ୍ରୀଡାପ୍ରେମୀ ମନୋଭାବ ସହିତ ଖେଳିବାକୁ ଉତ୍ସାହିତ କରିଥିଲେ ।

ଉଦ୍ଘାଟନ ସମାରୋହରେ ରେଳ କର୍ମଚାରୀ, ସେମାନଙ୍କର ସନ୍ତାନ ମାନେ ଏବଂ କ୍ରୀଡାପ୍ରେମୀ ମାନଙ୍କର ଭାରି ଉତ୍ସାହ ଦେଖାଯାଇଥିଲା।ଯାହା ଫଳରେ ସମଗ୍ର ପରିସର ଜୀବନ୍ତ ଓ ଉତ୍ସାହମୟ ପରିବେଶରେ ପରିଣତ ହୋଇଥିଲା।
ଏହି କାର୍ଯ୍ୟକ୍ରମର ସଫଳ ସମନ୍ୱୟ କ୍ରୀଡା ଅଧିକାରୀ ଏବଂ ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ ଙ୍କ ଦ୍ୱାରା ସଂଯୋଜନା କରାଯାଇଥିଲା । ଶୀତକାଳୀନ କ୍ରୀଡା–୨୦୨୬ ଅନ୍ତର୍ଗତ ବିଭିନ୍ନ ଇଣ୍ଡୋର କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ ଯାହା ମାଧ୍ୟମରେ ପ୍ରତିଭାଗୀ ମାନେ ନିଜ ଖେଳ ପ୍ରତିଭା ପ୍ରଦର୍ଶନ କରିପାରବେ ।
ଏହି ଅବସରରେ ଇକ୍ରୋ’ର ସଦସ୍ୟ ମାନେ ଏବଂ ବରିଷ୍ଠ ଅଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ। ଶୀତକାଳୀନ କ୍ରୀଡା -୨୦୨୬ ରେଳ କର୍ମଚାରୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟକୁ ଆହୁରି ମଜବୁତ କରିବ ଏବଂ ରେଳ ଭାଇଚାରାର ମଧ୍ୟରେ ଏକ ସୁସ୍ଥ ଏବଂ ସକ୍ରିୟ ଜୀବନଶୈଳୀକୁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି ।














