ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ସୋମବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ଧରି ଜୁଆଡିମାନେ ଜୁଆ ଖେଳି ଆସୁଥିବା ନଜରକୁ ଆସିଥିଲା । ତେବେ ଗତକାଲି ଅପରାହ୍ନରେ ନର୍ଲା ପୋଲିସର ଚଢାଉ ଯୋଗୁଁ ୬ଜଣ ଜୁଆଡି ଗିରଫ ହୋଇଥିଲେ ଓ ୨ଜଣ ଫେରାର ହୋଇଛନ୍ତି । ନର୍ଲା ଥାନା ଅନ୍ତର୍ଗତ ଗଡରାପଡାସ୍ଥିତ ଫାର୍ମ ହାଉସ ମଧ୍ୟରେ ଜୁଆ ଖେଳ ଚାଲିଥିବା ଖବରପାଇ ନର୍ଲା ଥାନା ଅଧିକାରୀ ଆଇଆଇସି ରମଣୀ ରଂଜନ ଦଳେଇ, କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କ ତତ୍ବାବଧାନରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିଲା । ଏଥିରେ ମ.ରାମପୁର ତଳିସାଗର ପଡ଼ାର ପ୍ରଦୀପ ପାଣିଗ୍ରାହୀ,କୁଶୁର୍ଲା ଗ୍ରାମର ଲକ୍ଷ୍ମଣ କୁମାର ବେହେରା, ଧଅଁରାମାଳର କୈଳାସ ମହାନନ୍ଦ,ଗୁନାଙ୍ଗବେଡାର ନିର୍ମଳ ନାଏକ, କେସିଙ୍ଗା ର ନବୀନ ତାଣ୍ଡି ଓ ପ୍ରେମ କୁମାର ତାଣ୍ଡିଙ୍କୁ ପୋଲିସ ଗିରଫ କରିଥିଲା ।

ଅନ୍ୟ ଦୁଇ ଜଣ ବ୍ୟକ୍ତି ମଶାଣିମୁଣ୍ଡାର ବିରେନ୍ଦ୍ର ନାଏକ , ନର୍ଲାରୁ ବିଶ୍ଵ ରଂଜନ ମିଶ୍ର ଫେରାର ହୋଇଥିବା ପୋଲିସ ସୂଚନାରୁ ପ୍ରକାଶ ପାଏ । ଏହି ଜୁଆ ଖେଳରେ ୪୪,୬୦୦ ଟଙ୍କା ସହିତ ୬ଟି ମୋଟର ସାଇକେଲ, ୭ଟି ମୋବାଇଲ,ବସିବା ଦରି, ବେଡ଼ ସିଟ୍ ଆଦି ପୋଲିସ ଦ୍ବାରା ଜବତ ହୋଇଛି । ନର୍ଲା ଥାନା କେସ ନଂ ୧୪୭/୨୦୨୦ ଅନୁସାରେ 3/Orissa prevenson of gambling act (ଓପିଜି)ରେ ପୋଲିସ ଏକ ମାମଲା ରୁଜୁ କରି ପ୍ରଥମେ ଗିରଫ ବ୍ୟକ୍ତି ମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇ ଥିବା ବେଳେ ଫେରାର ୨ଜଣଙ୍କୁ ଟିମ୍ ଗଠନ କରି ଧରିବାକୁ ପ୍ରୟାସ ଜାରି ରଖିଥିବା ପୋଲିସ ପକ୍ଷରୁ ଜଣାଯାଏ । (ରିପୋର୍ଟ ପ୍ରଦୀପ କୁମାର ଗଉଡ)













