No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ୱିତୀୟ ସନ୍ଧ୍ୟା ଦର୍ଶକ ମାନଙ୍କ ପାଇଁ ଏକ ସ୍ମରଣୀୟ ଓ ଆନନ୍ଦମୟ ଅନୁଭୂତି ନେଇଆସିଲା । ଆଲୋକ, ସଙ୍ଗୀତ ଓ ସଂସ୍କୃତିର ସମନ୍ୱୟରେ ସମଗ୍ର ପରିବେଶ ଉତ୍ସବମୟ ହୋଇଉଠିଥିଲା । ସନ୍ଧ୍ୟାର କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକନୃତ୍ୟ, ଲୋକସଙ୍ଗୀତ, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ମନମୁଗ୍ଧ କରିଥିଲା। ସ୍ଥାନୀୟ କଳାକାରଙ୍କ ସହିତ ଆମନ୍ତ୍ରିତ ଶିଳ୍ପୀ ମାନଙ୍କ ପ୍ରଦର୍ଶନୀ ମଞ୍ଚକୁ ଆହୁରି ଜୀବନ୍ତ କରିଥିଲା ।

ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ଶହୀଦ ରଘୁନାଥ ମହାନ୍ତିଙ୍କ ଉଦ୍ଦେଶ୍ୟ ରେ ଉତ୍ସାର୍ଗୀକୃତ କରାଯାଇଛି | ଦର୍ଶକମାନଙ୍କ ଭିଡ଼ ଓ ଉତ୍ସାହ ମହୋତ୍ସବର ସଫଳତାକୁ ସ୍ପଷ୍ଟ କରିଥିଲା । ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା,

ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଦଶପଲ୍ଲା ବିଧାୟକ ରମେଶ ବେହେରା, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା ।

ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ସଭାକାର୍ଯ୍ୟ ସଂଚାଳନ କରିଥିଲେ । ସଭାକାର୍ଯ୍ୟ ପରେ କଟକର ସିଂଘମ ଡ୍ୟାନ୍ସ ଏକାଡେମୀ, ନୃତ୍ୟଶ୍ରୀ ଡ୍ୟାନ୍ସ ଏକାଡେମୀ, ଆରାଧନା ଡ୍ୟାନ୍ସ ଏକାଡେମୀର ଗୋଟିପୁଅ ନୃତ୍ୟ ଓ ବରଗଡ଼ର ଦୂଲଦୁଲି ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।

ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଲୋକଙ୍କ ର ଅନେକ ଭିଡ ଦେଖିବାକୁ ମିଳିଥିଲା । ଏଥି ସହିତ ବିଭିନ୍ନ ପ୍ରକାର ର ଦୋକାନ ମଧ୍ୟ ଦେଖିବାକୁ ମିଳିଛି । ଲୋକ ମାନେ ଦ୍ୱିତୀୟ ସଂଧ୍ୟା କୁ ଉପଭୋଗ କରିବା ସହିତ ବିଭିନ୍ନ ଧରଣର ଷ୍ଟଲ୍ ବୁଲି ବ୍ୟବସାୟୀଙ୍କ ଠାରୁ କିଣା ବିକା କରିଥିଲେ ।
ରଙ୍ଗ ବେରଙ୍ଗ ର ଉପଭୋଗୀୟ ଖେଳନା ସାମଗ୍ରୀ ଠାରୁ ଘର କରଣା ଆବଶ୍ୟକୀୟ ଜିନିଷ କୁ ଦେଖି ଲୋକ ଙ୍କ ଭିଡ ଘନୀଭୂତ ହେଉଥିବା ଦେଖିବାକୁ ମିଳିଥିଲା । ଆୟୋଜକ ସମିତିର ସୁଚାରୁ ପରିଚାଳନା ଓ ସ୍ୱଚ୍ଛ, ସୁରକ୍ଷିତ ବ୍ୟବସ୍ଥା ଯୋଗୁଁ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା। ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ୱିତୀୟ ସନ୍ଧ୍ୟା ରଣପୁରର ସାଂସ୍କୃତିକ ପରିଚୟକୁ ନୂତନ ଉଚ୍ଚତା ଦେଇଥିବା ଦେଖାଗଲା।

No Result
View All Result