ସୁଗମ ସଙ୍ଗୀତର ଝଙ୍କାରରେ ରଣପୁର ଅର୍ଜୁନ ମହୋତ୍ସବର ରାତି ରଙ୍ଗିନ
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସୋମବାର ସକାଳ ୮ ଘଟିକା ସମୟରେ ରଣପୁର ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଅତ୍ୟନ୍ତ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି । ମା ମଣିନାଗଙ୍କ ପୀଠରୁ ରଣପୁର ପଞ୍ଚୁଦୋଳ ପଡିଆ ସ୍ଥିତ ଶହୀଦ ରଘୁଦିବାକର ମଣ୍ଡପ ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଆୟୋଜିତ ହୋଇଥିଲା । ଏହି ଅବସରରେ ଓଡ଼ିଶାର ବାଚସ୍ପତି ମା ମଣିନାଗଙ୍କ ମନ୍ଦିରରେ ପୂଜାର୍ଚନା କରିବା ପରେ ପତାକା ଦେଖାଇ ଗଣ ଦୌଡ଼ର ଶୁଭାରମ୍ଭ କରିଥିଲେ। ଗଣ ଦୌଡ଼ରେ ବହୁ ସଂଖ୍ୟାରେ ଯୁବକ-ଯୁବତୀ ଓ ସ୍ଥାନୀୟ ଲୋକେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।
ଏହା ପରେ ଗଡ଼ବାଣିକିଲୋ, ଦର୍ପଣନାରାୟଣପୁର, ମୟୂରଝାଲିଆ, ଡିମିରିଆ ଆଦି କଲେଜରୁ ଆସିଥିବା ଛାତ୍ରଛାତ୍ରୀମାନେ ଶହୀଦ ଜ୍ୟୋତି ଆଣି ରଣପୁର ପଞ୍ଚୁଦୋଳ ମଣ୍ଡପରେ ପହଂଚିଥିଲେ । ସେହି ସମୟରେ ଆଖପାଖ ଅଞ୍ଚଳର ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀମାନେ ମଧ୍ୟ ମହୋତ୍ସବ ପଡିଆରେ ପହଂଚି ଉତ୍ସବର ଆକର୍ଷଣ ବଢ଼ାଇଥିଲେ । ପରେ ଏକ ଭବ୍ୟ ଶୋଭାଯାତ୍ରା ମାଧ୍ୟମରେ ଶହୀଦ ଜ୍ୟୋତିଗୁଡ଼ିକୁ ମହୋତ୍ସବ ପଡିଆକୁ ନିଆଯାଇଥିଲା । ଶହୀଦମାନଙ୍କ ସ୍ମୃତିକୁ ସମ୍ମାନ ଜଣାଇ ସେଠାରେ ମଞ୍ଚ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଭକ୍ତି, ଦେଶପ୍ରେମ ଓ ସାଂସ୍କୃତିକ ଉତ୍ସାହର ସମନ୍ୱୟ ସହ ରଣପୁର ମହୋତ୍ସବର ଏହି ଉଦଘାଟନୀ କାର୍ଯ୍ୟକ୍ରମ ଉପସ୍ଥିତ ଜନସାଧାରଣଙ୍କ ମନକୁ ଆନନ୍ଦ ଓ ଗର୍ବରେ ଭରିଦେଇଥିଲା ।
ସନ୍ଧ୍ୟାବେଳେ ରଣପୁର ମହୋତ୍ସବ ପଡିଆ ଉତ୍ସବମୟ ପରିବେଶରେ ଗୁଞ୍ଜରି ଉଠିଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ଦେଶଭକ୍ତିମୂଳକ ଗୀତ ଓ ନାଟ୍ୟ ପରି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଛୋଟ ଛୋଟ ଶିଶୁମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ଓ ଆଞ୍ଚଳିକ କଳାକାରଙ୍କ ଦକ୍ଷତା ଦର୍ଶକମାନଙ୍କୁ ବେଶ ଆକୃଷ୍ଟ କରିଥିଲା । ଏହା ପରେ ମହୋତ୍ସବର ପ୍ରଥମ ଦିବସର ସଭାକାର୍ଯ୍ୟ ମହୋତ୍ସବର ଅଧ୍ୟକ୍ଷା ତଥା ଓଡ଼ିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଯୋଗ ଦେଇ ରଣପୁରର ସାଂସ୍କୃତିକ ପରମ୍ପରା ଓ ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ ।
















