ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୌଷ ପୂର୍ଣ୍ଣିମା ଅବସରରେ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ସପ୍ତମ ପୁଷ୍ୟାଭିଷେକ ଉତ୍ସବ ସହସ୍ରାଧିକ ଭକ୍ତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ଓ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବ ଅବସରରେ ରାମାୟଣ ପାରାୟଣ,ବୈଠକୀ କୀର୍ତ୍ତନ ସହିତ ଶ୍ରୀରାମ ଭରତ ମିଳନ, ପ୍ରଭୁଙ୍କର ନଗର ପରିକ୍ରମା,ଭକ୍ତ ସମାବେଶ ଇତ୍ୟାଦି କାର୍ଯ୍ୟକ୍ରମ ହୋଇଥିଲା ।

ପୂର୍ବାହ୍ନରେ ନନ୍ଦି ଗ୍ରାମ ଠାରେ ଶ୍ରୀରାମ ଭରତ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସବୁ ବର୍ଷ ଭଳି ଭରତ ଭୂମିକା ନିର୍ବାହ କରିଥିଲେ ଶ୍ରୀ ସୁବଳ ଚନ୍ଦ୍ର ଗୁରହାଣ୍ଡି । ଏହା ପରେ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀରାମ,ମାତା ସୀତା ଓ ବୀର ଲକ୍ଷ୍ମଣ ନଗର ପରିକ୍ରମା କରିଥିଲେ । ଗ୍ରାମର ପ୍ରତ୍ୟେକ ଦୁଆରେ ଝୋଟି,ଚିତା କାଟି ଗ୍ରାମବାସୀମାନେ ପୂଜା କରିବା ସହିତ ଦର୍ଶନ କରିଥିଲେ । ଶ୍ରୀରାମ ମନ୍ଦିର ମହିଳା ସଂକୀର୍ତ୍ତନ ଦଳ,ଭାଗବତ ମଣ୍ଡଳୀ ସଂକୀର୍ତ୍ତନ ଦଳ,ହରିପାଲି ସଂକୀର୍ତ୍ତନ ଦଳ ନଗର ପରିକ୍ରମାରେ ଅଂଶଗ୍ରହଣ କରିଥିଲେ ।

ଏହା ସହିତ ମାଗୁରବେଡା ସଂପ୍ରଦା ଦଳ,କଅଗାଁ ର ବୀଣାକାର ଦଳ ,ନୂଆପଡ଼ାର ମାନ୍ଦଲ ଦଳ ଜଗତସିଂହପୁରର ଘୋଡାନାଚ ଦଳ ମଧ୍ୟ ସାମିଲ ହୋଇଥିଲେ । ଶ୍ରୀ ବୀର ସାହୁ ପର୍ଶୁରାମ ଓ ସନ୍ତୋଷ ବାଗ ହନୁମାନ ହୋଇ ନିଜର କଳା ପ୍ରଦର୍ଶନ କରିଥିଲେ । ରଥରେ ସାରଥୀ ହୋଇଥିଲେ ମାଗୁରବେଡ଼ାର ହାଡୁ ବିଶି । ପରିଚାଳନା କରିଥିଲେ ଶ୍ରୀରାମ କଲଚରାଲ ଗ୍ରୁପର ସଭାପତି ମନ୍ମୟ ତ୍ରିପାଠୀ ।

ରଥ ମନ୍ଦିରରେ ପହଞ୍ଚିବା ପରେ ପୁଷ୍ୟାଭିଷେକ ହୋମ କରିଥିଲେ ମନ୍ଦିର ପୂଜକ ହିମାଂଶୁ ମିଶ୍ର । କର୍ତ୍ତା ଭାବରେ ସପତ୍ନୀକ ଶ୍ରୀ ଅଚ୍ୟୁତାନନ୍ଦ ମିଶ୍ର ଯୋଗ ଦେଇଥିଲେ । ଏହାପରେ ପ୍ରସାଦ ସେବନ ଓ ଭକ୍ତ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଧର୍ମପ୍ରାଣ ବ୍ୟକ୍ତିତ୍ୱ ଶ୍ରୀ ତରୁଣ କୁମାର ପରିଛାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସନ୍ଦୀପ କୁଅଁର,ଋଷିକେଶରୁ ଆସିଥିବା ବାବା ଏସ ଏସ ଗିରି ଉପସ୍ଥିତ ଥିଲେ ।

ସମସ୍ତ କାର୍ଯ୍ୟକ୍ରମ ଟ୍ରଷ୍ଟର ଚେୟାରମେନ ଶ୍ରୀଯୁକ୍ତ ମଳୟ ଆନନ୍ଦ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ସହଯୋଗ କରିଥିଲେ ସତ୍ୟ ଗହୀର,ଚିଙ୍କୁ ପ୍ରଧାନ, ଶ୍ରୀମୟ ତ୍ରିପାଠୀ,ପ୍ରସନ୍ନ ଗହୀର ଓ ସର୍ବଜିତ ତ୍ରିପାଠୀ । ପ୍ରକାଶ ଥାଉକି ଗତ ୨୦୨୦ ମସିହାଠାରୁ ବାନ୍ଧନଘୋର ଗ୍ରାମବାସୀ ପୌଷ ପୂର୍ଣ୍ଣିମା ଦିନ ଆମିଷ ବର୍ଜନ କରି ଏହି ଉତ୍ସବରେ ସାମିଲ ହେଉଛନ୍ତି ।













