ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ରବିବାର) ହିଞ୍ଜିଳିକାଟୁ :- ବର୍ତମାନ ହିଞ୍ଜିଳିକାଟୁ ସହରର ସ୍ଥିତିକୁ ଦେଖିଲେ ଲୋକଙ୍କ ମନରେ କରୋନାକୁ ନେଇ ଭୟ ଥିବା ଭଳି ମନେହେଉନି । ରାସ୍ତାଘାଟ, ବଜାର ହେଉ କି ଘର ଅଧିକାଂଶ ଲୋକ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଛି । ଶତକଡ଼ା ୯୦ ଭାଗ ଲୋକ ସାମାଜିକ ଦୂରତ୍ୱ ରକ୍ଷାକୁ ଭୁଲିଗଲେଣି । ସ୍ଥାନୀୟ ପୌର ଓ ପୁଲିସ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯିବା ସହ ଚଢାଉ କରାଯାଉଥିଲେ ମଧ୍ୟ ସହରବାସୀ ସତେଯେପରି ଏହାକୁ ଭୁଲିଗଲେଣି । ପୂର୍ବାପେକ୍ଷା ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି, କିନ୍ତୁ ଆହୁରି କିଛି ଦିନ ପାଇଁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା ପାଳନ କରିବାକୁ ପଡ଼ିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତ୍ୟହ ଡ଼ାକବାଜି ଯନ୍ତ୍ର ସହାୟତାରେ ସହରବାସୀଙ୍କୁ ସଚେତନ କରାଯାଉଛି । ପରିତାପର ବିଷୟ ପ୍ରଶାସନର ଏଭଳି ସଚେତନକୁ ୟେହଜ୍ଞାନ କରିବାକୁ ପଛାଉନାହାନ୍ତି ସହରବାସୀ । ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ସରକାରୀ ନିୟମକୁ ଅଧିକାଂଶ ଲୋକେ ମାନୁନଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ପୌରାଂଚଳର ପରିବା ବଜାର, ଲକ୍ଷ୍ମୀ ବଜାରରେ ଗହଳି ଚହଳି ଲାଗି ରହିଥାଏ ।
ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବହୁତ କମିବା ପରେ କଟକଣାକୁ କୋହଳ କରାଯାଇଛି । ପ୍ରତ୍ୟୟ ସକାଳୁ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳର ସମସ୍ତ ଦୋକାନ ବଜାର ଖୋଲା ରହୁଛି । ସହରର ବିଭିନ୍ନ ଛକ ସ୍ଥାନ ଗୁଡ଼ିକରେ ଚାହା ଓ ପାନ ଦୋକାନ ଗୁଡ଼ିକରେ ଯୁବ ଗୋଷ୍ଠୀଙ୍କ ବହୁ ସମୟ ଧରି ଆଡ୍ଡା ଜମାଉଥିବାର ନଜିର ରହିଛି । ପୌରାଂଚଳ ଆମିଷ ବଜାରରେ ବିଶେଷ କରି ସପ୍ତାହର ସୋମବାର ଓ ଶନିବାରକୁ ବାଦ ଦେଲେ ଅନ୍ୟ ସମସ୍ତ ଦିନ ଗୁଡ଼ିକରେ ଶହ ଶହ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଅନୁରୂପ ଭାବେ ଗ୍ରାମାଂଚଳ ଗୁଡ଼ିକର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ବ୍ୟବସାୟୀ ଓ ଗ୍ରାହକଙ୍କ ମନରେ କରୋନାକୁ ନେଇ ସେତେଟା ଭୟ ନଥିବା ଜଣାପଡ଼ୁଛି ।ରାସ୍ତା କଡ଼ରେ ଥିବା ଅସ୍ଥାୟୀ ଉଠା ଦୋକାନୀଙ୍କ ମୁହଁରେ ମାସ୍କ ରହୁନଥିବା ବେଳେ ଛୋଟ ଛୋଟ ଦୋକାନ ଗୁଡ଼ିକରେ ୫ରୁ ଅଧିକ ଲୋକ କିଣାବିକା କରୁଥିବାର ଦେଖିବାକୁ ମିଳୁଛି । କିଛି ଦେକାନୀ ଓ ଗ୍ରାହକଙ୍କ ମୁହଁରେ ମାସ୍କ ଥିଲେ ମଧ୍ୟ ତାହା ପାଟି ନାକ ପରିବର୍ତେ ଥୋଡ଼ିରେ ଝୁଲୁ ଥିବାର ଦେଖିବାକୁ ମିଳୁଛି ।
ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ସମସ୍ତ ଗ୍ରାମାଂଚଳର ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ନେଦା ମାସ୍କ- ନୋ ଗୁଡ୍ସ୍ ବୋର୍ଡ଼ ଝୁଲୁଥିବାର ଦେଖିବାକୁ ମିଳୁଥିବା ବେଳେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହେଉନଥିବା ଜଣାପଡ଼ିଛି । ସେହିପରି ବିଭିନ୍ନ ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱ ଦିଆଯାଉନଥିବା ଜଣାପଡ଼ିଛି । ସାର ପାଇଁ ସମବାୟ ସମିତି ସମ୍ମୁଖରେ ଶହ ଶହ ଚାଷୀଙ୍କ ଲମ୍ବା ଲାଇନ ରହୁଥିବା ବେଳେ କୌଣସି ଚାଷୀଙ୍କ ମୁହଁରେ ମାସ୍କ ନଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା ସମ୍ପୁର୍ଣ୍ଣ ଭାବରେ ରହୁନଥିବା ଦେଖିବାକୁ ମିଳୁଛି । ଲୋକଙ୍କ ମନରେ ଯଦି କରୋନାକୁ ନେଇ ଭୟ ରହିଥାନ୍ତା ଓ ସେମାନେ ସାମାଜିକ ଦୂରତ୍ୱ ରକ୍ଷାର ମହତ୍ୱ ବୁଝିଥାନ୍ତେ ତାହା ହେଲେ ଶହ ଶହ ସଂଖ୍ୟାରେ ଏଭଳି ଗୋଟିଏ ସ୍ଥାନରେ ଜମା ହୋଇନଥାନ୍ତେ । ପ୍ରଶାସନ ପକ୍ଷରୁ ପୂର୍ବଭଳି ମାସ୍କ ନିୟମ ଉଲଂଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଲୋକେ ବିନା ଦ୍ୱିଧାରେ ମାସ୍କ ବିନା ବାହାରେ ବୁଲୁଥିବାର ଦେଖିବାକୁ ମିଳୁଛି । ଏ ଦିଗରେ ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ନଚେତ ପୁଣିଥରେ କରୋନା ଲେଉଟିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । (ରିପୋର୍ଟ- ଶୁସାନ୍ତ ପ୍ରଧାନ )