ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବର୍ଷର ଶେଷ ରବିବାର ରହିଥିବାରୁ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ ବଣରେ ପର୍ଯ୍ୟଟକମାନେ ବଣ ଭୋଜି କରି ମଜା ନେଉଥିବା ବେଳେ କୌଣସି କାରଣରୁ ୨ ଗୋଷ୍ଠି ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ପରେ ପରିସ୍ଥିତି ଏମିତି ଘଟିଥିଲା ଯେ ଉଭୟ ଗୋଷ୍ଠି ମଧ୍ୟରେ ପିଟା ପିଟି ହୋଇଥିଲା । ରୋଷେଇରେ ବ୍ୟବହାର ଚଟୁ, ବେଲା ସହ ବିଭିନ୍ନ ସାମଗ୍ରିରେ ମାଡ଼ ହୋଇଥିଲା । ଏହି ସମୟରେ ଡ଼ୁଲୁରୀ ଅଞ୍ଚଳରେ ଅନ୍ୟ ପର୍ଯ୍ୟଟକମାନେ ମଧ୍ୟ ରୋଷେଇ କରୁଥିବା ବେଳେ ବହୁ ହଇରାଣ ହରକତ ହୋଇଥିବା ଦେଖିବାକୁ ମିଳିଥିଲା ।

ସପରିବାର ନେଇ ଆସିଥିବା ପର୍ଯ୍ୟଟକ ବଣ ଭୋଜି କରୁଥିବା ବେଳେ ଭୋଜି ରାନ୍ଧି ମଧ୍ୟ ଖାଇପାରିନଥିଲେ । ଭୟ ଓ ଆତଙ୍କ ଭିତରେ ପର୍ଯ୍ୟଟକ ଡ଼ୁଲୁରୀ ସ୍ଥାନ ଛାଡି ଚାଲିଯାଇଥିଲେ । ପରିସ୍ଥିତି ଏମିତି ହେଲା ଯେ ଉକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ଗଣ୍ଡଗୋଳକୁ ବନ୍ଦ କରିବାକୁ ଯାଇଥିବା କିଛି ଯୁବକ ଓ ପର୍ଯ୍ୟଟକ ଆହତ ହୋଇଥିଲେ । ଡ଼ୁଲୁରୀ ପର୍ଯ୍ୟଟନ କ୍ଷେତ୍ରର ପରିଚାଳକ ସଞ୍ଜୀବ ପ୍ରଧାନ ତୁରନ୍ତ ପ୍ଳିହେରୀ ସରପଞ୍ଚ ପାଉଲ ପ୍ରଧାନଙ୍କୁ ଫୋନରେ ଜଣାଇବା ପରେ ସରପଞ୍ଚ ତୁରନ୍ତ ଦାରିଙ୍ଗବାଡି ଥାନାକୁ ଖବର ଦେଇଥିଲେ ।















