ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସାମ୍ବିଧାନିକ ଦାୟିତ୍ୱକୁ ଅଧିକ ଭଲ ଭାବରେ କରିବା ପାଇଁ ପ୍ରୋତ୍ସାହିତ କରିବ : ମୁଖ୍ୟ ନିର୍ବାଚନ କମିଶନର
ପୁରୀର ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର କେବଳ ଓଡ଼ିଶାର ନୁହଁ ସମଗ୍ର ଭାରତର ମାନ ଓ ସମ୍ମାନ ଅଟେ : ମୁଖ୍ୟ ନିର୍ବାଚନ କମିଶନର
ଭୁବନେଶ୍ୱର/ପୁରୀ/କୋଣାର୍କ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭାରତର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ତିନିଦିନିଆ ଓଡିଶା ଗସ୍ତରେ ଆସି ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବା ସହ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି ।ମୁଖ୍ୟ ନିର୍ବାଚନ କମିଶନର ଭୁବନେଶ୍ୱରରେ ପହଞ୍ଚିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିବା ସହିତ ଓଡିଶା ବାସୀଙ୍କୁ ଓଡ଼ିଆ ଭାଷାରେ ସମ୍ମାନ ଜଣାଇଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଆର ଏସ ଗୋପାଳନ ଏବଂ ବରିଷ୍ଠ ଅଧିକାରୀମାନେ ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇଥିଲେ।

ପୁରୀ ଶ୍ରୀମନ୍ଦିରର ସମ୍ମୁଖରେ ଶ୍ରୀ କୁମାରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀ, ଜ଼ିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଆରକ୍ଷୀ ଅଧିକ୍ଷକ ପ୍ରତୀକ କୁମାର ସିଂ ଓ ଅନ୍ୟ ଅଧିକାରୀମାନେ ସ୍ୱାଗତ ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଅନ୍ୟ ଦେବାଦେବୀଙ୍କ ଦର୍ଶନ କରାଇ ଥିଲେ। ଏହି ଅବସରରେ ମହାପ୍ରଭୁଙ୍କ ଆଶୀର୍ବାଦ ତାଙ୍କୁ ସାମ୍ବିଧାନିକ ଗୁରୁଦାୟିତ୍ୱ ଆହୁରି ଭଲ ଭାବରେ ସମ୍ପାଦିତ କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଆଶାବ୍ୟକ୍ତ କରିଥିଲେ।ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି ବହୁ ପ୍ରାଚୀନ ଓ ଅନନ୍ୟ ।
ଏହି ଗସ୍ତ ସମୟରେ ସେ ସବୁ ବିଷୟରେ ମୁଁ ଅଧିକରୁ ଅଧିକ ଜାଣିବା ପାଇଁ ଚେଷ୍ଟା କରିବି ବୋଲି ସେ ପୁରୀରେ ଉଲ୍ଲେଖ କରିଥିଲେ । ଶ୍ରୀମନ୍ଦିରର ବରିଷ୍ଠ ଅଧିକାରୀ ଓ ସେବାୟତମାନେ ତାଙ୍କୁ ମହାପ୍ରଭୁଙ୍କ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସ୍ୱତନ୍ତ୍ରତା, ନିଆରା ନୀତିକାନ୍ତି, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ମନ୍ଦିରର କାରୁକାର୍ଯ୍ୟ ଓ ଭାବଭକ୍ତି ସମ୍ପର୍କରେ ଅବଗତ କରାଇଥିଲେ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ମୁଖ୍ୟ ନିର୍ବାଚନ କମିଶନର ସମୁଦ୍ର ପାର୍ଶ୍ଵର ମାର୍ଗରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଯାତ୍ରା କରିଥିଲେ। କଳିଙ୍ଗ ଶୈଳୀର ଅନନ୍ୟ ନିର୍ମାଣ ଓ ୟୁନେସ୍କୋ ଘୋଷିତ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କର ଅଦ୍ଭୁତ କଳାନୈପୁଣ୍ୟ ଓ ଇତିହାସ ସମ୍ପର୍କରେ ଜାଣି ସେ ଅବିଭୁତ ହୋଇଥିଲେ ।
କୋଣାର୍କରେ ନିର୍ବାଚନ କମିଶନର ଶ୍ରୀ କୁମାର କହିଥିଲେ ଯେ, କୋଣାର୍କ ସୂର୍ଯ୍ୟ ମନ୍ଦିର କେବଳ ଓଡ଼ିଶାର ନୁହଁ ବରଂ ଏହା ସମଗ୍ର ଭାରତର ମାନ ଓ ସମ୍ମାନ ଅଟେ। ମନ୍ଦିରର କଳେବର ଓ କାରୁକାର୍ଯ୍ୟକୁ ଅନୁଧ୍ୟାନ କଲେ ଜଣା ପଡେ ପ୍ରାଚୀନ ସମୟରେ ଆମ ଦେଶ ଧନ, ମାନ, ଜ୍ଞାନ ଓ ବିଜ୍ଞାନରେ କେତେଯେ ସମୃଦ୍ଧ ଥିଲା ସେ କଥା କଳ୍ପନା କଲେ ହୃଦୟ ଗର୍ବ ଓ ଗୌରବରେ ପୁରି ଉଠୁଛି ବୋଲି ଉଲ୍ଲେଖ କରିଥିଲେ ।କୋଣାର୍କ ଓ ପୁରୀର ଶ୍ରୀମନ୍ଦିର ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ପରମ୍ପରାର ଅପୂର୍ବ ନିଦର୍ଶନ ।
ଏହି ସ୍ଥାନର ଦିବ୍ୟ ଅନୁଭୂତି ମୋର ସବୁଦିନ ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ କୁମାର ପ୍ରକାଶ କରିଛନ୍ତି । ପୁରୀ ଓ କୋଣାର୍କ ପରିଦର୍ଶନ ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନଙ୍କ ସହିତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ଗୋପୀନାଥ କଅଁର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ଅନାମିକା ସିଂ, ସ୍ଥାନୀୟ ପ୍ରଶାସନ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।














