କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସମଗ୍ର କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ କମ୍ବିଂ ଅପରେଶନକୁ ଜୋର୍ଦାର କରାଯାଇଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ କୁଖ୍ୟାତ ମାଓବାଦୀ ଟଳି ପଡ଼ିଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଧିନସ୍ଥ ଗୁମ୍ମା ପଞ୍ଚାୟତ ର ପେଡମ୍ ଘଞ୍ଚ ଜଙ୍ଗଲରେ ଘଟିଛି ଏହି ଏନକାଉଣ୍ଟର । ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି । ଖବର ଅନୁଯାୟୀ, ପେଡମ୍ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ସୁରକ୍ଷା କର୍ମୀ ଏବଂ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା ।
ଏହାପରେ ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ସାଦା ପୋଷାକରେ ପୋଲିସକୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଦୁଇ ମାଓବାଦୀ ଙ୍କ ନିକଟରୁ ଗୋଟିଏ ରିଭଲଭର, ଗୋଟିଏ ୩୦୩ ରାଇଫଲ୍ ଓ ଗୋଟିଏ ୱାକିଟକି ଜବତ କରିଛନ୍ତି ଏସ୍ଓଜି ଯବାନ ।
ଦୁଇ ନିହତ ମାଓବାଦୀ ହେଲେ ରାୟଗଡ଼ାର ରାକେଶ ଓ ବିଜାପୁରର ଅମ୍ରିତ ବୋଲି ଜଣାପଡିଛି । ଉଭୟଙ୍କ ମୁଣ୍ଡ ପାଇଁ ଥିଲା ୨୩.୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ସେହିପରି ରାଜ୍ୟ ସ୍ବତନ୍ତ୍ର ଗୁଇନ୍ଦା ଦଳ ପକ୍ଷରୁ ମିଳିଥିବା ସୂଚନା ଆଧାରରେ, କନ୍ଧମାଳ ଜିଲ୍ଲାର ଚକାପାଦ ଥାନା ଅଞ୍ଚଳ ଏବଂ ଗଞ୍ଜାମ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ରମ୍ଭା ବନାଞ୍ଚଳରେ ୨୩ଟି ଦଳ (୨୦ଟି ଏସଓଜି, ୨ଟି ସିଆରପିଏଫ, ୧ଟି ବିଏସଏଫ ) କୁ ନେଇ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା ।














