ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ ସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର୍ର ପରିସରରେ ଆୟୋଜିତ ୨୦ ତମ ରାଜ୍ୟ ସ୍ତରୀୟ ଜାମ୍ବୋରେଟ୍ ଏବଂ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ ଗତକାଲି ଅପରାହ୍ନ ୪ ଘଟିକା ସମୟରେ ଉଦ୍ଘାଟିତ ହୋଇଯାଇଛି ।

ବିଭିନ୍ନ ଜିଲ୍ଲାରୁ ୨୫୨୦ ଜଣ ସ୍କାଉଟ,ଗାଇଡ୍ ଏହି ଜାମ୍ବୋରେଟ୍ରେ ଯୋଗଦାନ କରିଛନ୍ତି । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଉଦ୍ଘାଟକ ଭାବେ ଲେପ୍ଟନାଣ୍ଟ କର୍ଣ୍ଣେଲ୍ ଜସ୍ମିନ୍ ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ଶ୍ରୀ ଓମ୍ ପ୍ରିୟଦର୍ଶୀ ଛୋଟରାୟ, ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ର କାଉନ୍ସିଲ୍ ସଦସ୍ୟ ଉକ୍ତ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ଅତିଥି ମାନଙ୍କୁ ସ୍ୱାଗତ କରିବାକୁ ଯାଇ ଜାମ୍ବୋରେଟ୍ର ଉଦ୍ଦେଶ୍ୟ ତଥା ରାଜ୍ୟ ସଂଗଠନର ବର୍ଷ ବ୍ୟାପୀ ବିଭିନ୍ନ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।

ମୁଖ୍ୟଅତିଥି କର୍ଣ୍ଣେଲ ମିଶ୍ର ରାଜ୍ୟ ସଂଗଠନର ଏଭଳି ଏକ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନରେ ସନ୍ତୋଷ ପ୍ରକଟ କରିବା ସହିତ ସ୍କାଉଟ ଓ ଗାଇଡ୍ ସଂଗଠନ ପ୍ରତ୍ୟେକ କ୍ଷେତ୍ରରେ ସର୍ବଦା ଉଲ୍ଲେଖନୀୟ କାର୍ଯ୍ୟ ସଂପାଦନ କରିଆସିଛି ବୋଲି ଅଭିହିତ କରିଥିଲେ । ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତ ଜାମ୍ବୋରେଟ୍ ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ପାରସ୍ପରିକ ସ୍ନେହ ଓ ବନ୍ଧୁତା ସ୍ଥାପନ ପୂର୍ବକ ସମାଜରେ ଭାଇଚାରାର ଭାବ ଉଦ୍ରେକ କରିବା ପାଇଁ ପ୍ରେରଣା ଦାୟକ ହେବ ବୋଲି ମୁଖ୍ୟ ଅତିଥି କର୍ଣ୍ଣେଲ ମିଶ୍ର ମତବ୍ୟକ୍ତ କରିଥିଲେ ।















