ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ୨୦୨୫ ରଥଯାତ୍ରାର ରଥ ନିର୍ମାଣ ପାଇଁ ୬୯ ଜଣ ଫାଶି କାଠଦାତା ୧୧୦ ଖଣ୍ଡ ଫାଶିକାଠ ଦାନ କରିଥିଲେ । ସେମାନଙ୍କୁ ସୋମବାର ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ସମ୍ମାନିତ କରାଯାଇଥିଲା ।

ବିରଳ ଫାଶିକାଠ ସରକାରୀ ବନଖଣ୍ଡରେ ଆବଶ୍ୟକୀୟ ଗଛ ମିଳୁନଥିବାରୁ ଭକ୍ତଙ୍କ ଠାରୁ ଦାନ ସୁତ୍ରରେ ସଂଗ୍ରହ କରାଯାଇଥିଲା । ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ ଅଧିକ ଫାଶିକାଠ ଲଗାଇବା ପାଇଁ ଗଜପତି ମହାରାଜ ପରାମର୍ଶ ଦେଇଥିଲେ ।ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ନୀତିକାନ୍ତି, ଭକ୍ତ ଗହଳି ନିୟନ୍ତ୍ରଣ ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଗଜପତି ମହାରାଜାଙ୍କୁ ଅବଗତି କରାଯାଇଥିଲା ।

ଇସ୍କନ କରୁଥିବା ଅଦିନିଆ ରଥଯାତ୍ରା ଶାସ୍ତ୍ର ସମ୍ମତ ନୁହେଁ ବୋଲି ଗଜପତି କହିବା ସହ ସେ ସମ୍ପର୍କରେ ସଂପୃକ୍ତ ସଂସ୍ଥାକୁ ଜଣାଇ ଦିଆଯିବ । ଶ୍ରୀମନ୍ଦିର ଭିତରେ ମୋବାଇଲରେ ଫଟୋ ଉଠାଇବା, ଚଷମାରେ ଗୁପ୍ତ କ୍ଯାମେରା ଜରିଆରେ ଫଟୋ ଉଠାଇବା ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ସମ୍ପର୍କରେ ଏକ ଚିଠା ପ୍ରସ୍ତାବ ଆଇନ ବିଭାଗକୁ ଦିଆଯାଇଛି ।















