ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ରବିବାର) ବାଲେଶ୍ୱର :- ବାଲେଶ୍ୱର ବିଜେପି ଦଳ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଉପନିର୍ବାଚନର ସଂଯୋଜକ ଭାବରେ ମାନସଙ୍କ ନାମ ଘୋଷଣା କରିବା ପରେ ଦଳୀୟ ପ୍ରାର୍ଥୀ ଭାବରେ ମାନସ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ବିଧାୟକଙ୍କ ପୁତ୍ର ଭାବରେ ଅନୁକମ୍ପା ଭୋଟ ହାତେଇବାକୁ ବିଜେପି ରଣନୀତିରେ ମାନସ ଯେ ପ୍ରମୁଖ ଭୂମିକା ନେବାକୁ ଯାଉଛନ୍ତି ତାହା ସ୍ପଷ୍ଟ ହୋଇଛି । ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା ବିଜେଡି ମଧ୍ୟ ଆରମ୍ଭ କରିଛି ଜୋରଦାର ପ୍ରସ୍ତୁତି । ଦଳର ପ୍ରାର୍ଥୀ କିଏ ହେବ ସ୍ପଷ୍ଟ ହୋଇନି, ହେଲେ ଦଳୀୟ ସ୍ତରରେ ଚର୍ଚ୍ଚା ଯେ ପୁଣି ଥରେ ବିଜେଡିକୁ ସଦରରେ ଫେରାଇ ଆଣିବା ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓହ୍ଲାଇ ପାରନ୍ତି ମଇଦାନକୁ । ଘନ ଘନ ବୈଠକ ମାଧ୍ୟମରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ମଧ୍ୟ ନିଜକୁ ପ୍ରମୁଖ ଦାବିଦାର ଭାବରେ ସମ୍ନାକୁ ଆଣିଛନ୍ତି । ଚର୍ଚ୍ଚା ହେଉଛି ଯେ ଦୁର୍ବଳ କଂଗ୍ରେସ ପାଇଁ ଆଶାବାଡ଼ି ହୋଇ ମଙ୍ଗ ଧରିପାରନ୍ତି ପିସିସି ସଭାପତିଙ୍କ ପୁଅ ତଥା ବାଲେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ।
ଦଳର ପୁରୁଖା ନେତା ପରୋକ୍ଷରେ ନବଜ୍ୟୋତିଙ୍କ ପ୍ରାର୍ଥୀ ହେବା ନେଇ ଇଶାରା ମଧ୍ୟ ଦେଇଛନ୍ତି । ଏସବୁ ଭିତରେ ବିଜେଡିର ରବୀନ୍ଦ୍ର ଓ କଂଗ୍ରେସର ନବଜ୍ୟୋତିଙ୍କ ନାମ ସବୁ ଠାରୁ ଅଧିକ ଚର୍ଚ୍ଚା ହେଉଛି । ଦୁଇ ଜଣ ଯାକ ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱର ପାଇଁ ନିଜ ଦଳର ସାଂସଦ ପ୍ରାର୍ଥୀ ରହିଥିଲେ ଓ ପରାସ୍ତ ହୋଇଥିଲେ । ଗତ ତିନୋଟି ବିଧାନ ସଭା ନିର୍ବାଚନକୁ ଦେଖିଲେ ବିଜେଡି ଅଧିକ ଶକ୍ତିଶାଳୀ ଥିବା ଜଣା ପଡୁଛି । ଗତ ନିର୍ବାଚନରେ ବିଜେପି ନିଜର ଦମ୍ ଦେଖାଇଥିଲା । ଏଥିରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ୭୪,୮୧୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ପାଇଥିଲେ ୬୧,୪୦୯ ଖଣ୍ଡ ଭୋଟ । କଂଗ୍ରେସ ମାତ୍ର ୧୯,୭୦୪ ଖଣ୍ଡ ଭୋଟ ହାତେଇବାରେ ସଫଳ ହୋଇଥିଲା । ପ୍ରତିଶତରେ ଦେଖିଲେ ବିଜେପି ୪୭.୨୬%, ବିଜେଡି ୩୮.୭୯% ଓ କଂଗ୍ରେସ ୧୨.୪୫% ଭୋଟ ପାଇଥିଲା । (ଦୀପ୍ତିମାନ ପତି / ବାଲେଶ୍ୱର )