କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କୋରାଇ ବ୍ଲକ ଅନର୍ଗତ ତଳଗଡ଼ ପଂଚାୟତ ସ୍ଥିତ ଉପୁଳାଇ ଗ୍ରାମର ଶଙ୍କର୍ଷଣ-ଘନଶ୍ୟାମ ସ୍ମୃତି ପରିଷଦର ପ୍ରଥମ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ପିତା-ମାତା ଓ ଗୁରୁଜନଙ୍କ ପ୍ରତି ସମ୍ମାନ ବୋଧ ପ୍ରତି ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ହୋଇଥିଲା ।

ଗ୍ରାମର ଶନିଶ୍ଚର ଓ ସ୍ୱପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଉତ୍ସବ ସୁଦର୍ଶନ ରାଉତରାୟଙ୍କ ସଭାପତିତ୍ବରେ ହୋଇଥିଲା ବେଳେ ମୁଖ୍ୟଅତିଥ୍ୟ ଭାବେ ଯାଜପୁର ଜିଲା ଲେଖକ ସମ୍ମେଳନର ସଭାପତି ଡଃ ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ ପିତାମାତା ଓ ଗୁରୁଜନଙ୍କ ପ୍ରତି ଆଦର ସମ୍ମାନ ତଥା ପୂଜ୍ୟପୂଜା ସମାଜକୁ ବଳିଷ୍ଠ କରେ ବୋଲି କହିଥିଲେ ।

ଉଦଘାଟକ ଭାବେ ‘ଚଲାପଥ’ର ସମ୍ପାଦକ ହଳଧର ଧୀର, ମୁଖ୍ୟବକ୍ତା ଝାଡ଼େଶ୍ଵର ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅକ୍ଷୟ କୁମାର ପଣ୍ଡା, ବିଶିଷ୍ଟ ଅତିଥି ଭାବେ କବି ତଥା ସ୍ତମ୍ଭକାର ସୁରେଶ ପରିଡା, କୋରାଇ ସ୍ଥିତ କାହ୍ନୁଚରଣ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ମୋହନ ଚରଣ ଖୁଣ୍ଟିଆ ଓ ‘ଯାତ୍ରାଦୁନିଆ’ର

ସମ୍ପାଦକ ନାରାୟଣ କୁମାର ରାଉତରାୟ ଯୋଗଦେଇ କବି ତା’ ଲେଖା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିଥାଏ ବୋଲି ମତବ୍ୟକ୍ତ କରିଥିଲେ । ‘ସ୍ମୃତିଲିପି’ର ସଂପାଦକ ଭୁବନ ମୋହନ ମହାନ୍ତିଙ୍କ ସଂଯୋଜନାରେ ୫୦ରୁ ଉର୍ଦ୍ଧ୍ଵ କବି ସ୍ୱରଚିତ କବିତା ଆବୃତି କରିଥିଲେ । ପିଲାମାନଙ୍କ ଦ୍ଵାରା ସ୍ଵାଗତ ଓ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା।

ଏହି ଅବସରରେ ଆଦର୍ଶ ଶିକ୍ଷକ ଜଗନ୍ନାଥ ମାଝି, ଶିଶୁ ସାହିତ୍ୟିକ ତଥା ସାମ୍ବାଦିକ ଅଧ୍ୟାପକ ମଳୟ କୁମାର ମଲ୍ଲିକ, ସାହିତ୍ୟ ସଂଗଠକ ଭୁବନ ମୋହନ ମହାନ୍ତି, ଗାଳ୍ପିକ ତଥା ବେତାର ନାଟ୍ୟକାର ଅକ୍ଷୟ କୁମାର ବାରିକ,

ସମାଜସେବୀ ସୁରେନ୍ଦ୍ର କୁମାର ବରାଳ ଓ ଯୁବକବୀ ରେଶମା ମିର୍ଜାଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମସ୍ତ କବିଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷକ ଅରୁଣ କୁମାର ବେହେରା ମାନପତ୍ର ପାଠ କରିଥିଲେ ବେଳେ ସଂସଦ ସଭାପତି ସାମ୍ବାଦିକ ପବିତ୍ର ମୋହନ ରାଉତରାୟ ମଂଚପରିଚାଳନା ସହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।















