No Result
View All Result
ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କଠାରେ ପାରମ୍ପରିକ “ଗୋଟିପୁଅ ସଂଗୀତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧାରଣତଃ ବନ୍ଦ ଅଡିଟୋରିୟମ୍ରେ ଏହିପରି କାର୍ଯ୍ୟକ୍ରମଗୁଡିକୁ ଉପସ୍ଥାପନ କରାଯାଇଥାଏ କାରଣ ଏହା ଭାରତୀୟ ଶାସ୍ତ୍ରୀୟ ସଂଗୀତ ପରିବେଷଣ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ । ମାତ୍ର ପାରମ୍ପରିକ ସଂଗୀତ ପ୍ରତି ରୁଚି ରଖୁନଥୁବା ଶ୍ରୋତାମାନେ ଏହାର ଆନନ୍ଦ ଉଠାଇ ପାରନ୍ତି ନାହିଁ । ସେମାନଙ୍କୁ ପାରମ୍ପରିକ ସଂଗୀତ ପ୍ରତି ଆକର୍ଷିତ କରିବା ପାଇଁ ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ପ୍ରତି ଶୀତ ଋତୁରେ ଦୁଇରୁ ତିନୋଟି କାର୍ଯ୍ୟକ୍ରମ ପାର୍କରେ ଆୟୋଜିତ ହୋଇଥାଏ ।
ଚଳିତ ଶୀତ ଋତୁରେ ମଧ୍ଯ ସର୍କଲର କାର୍ଯ୍ୟସୂଚୀ ଅନୁଯାୟୀ ୨୦ ଡିସେମ୍ବର ୨୦୨୫ ଏବଂ ୧୭ ଜାନୁଆରୀ ୨୦୨୬ ତାରିଖରେ ଦୁଇଟି କାର୍ଯ୍ୟକ୍ରମର ଆୟୋଜନ କରାଯାଉଅଛି । ଓଡିଶୀ ଶାସ୍ତ୍ରୀୟ ସଂଗୀତକୁ ଏକ ପୁରାତନ ଶାସ୍ତ୍ରୀୟ ଶୈଳୀ ସ୍ଵିକୃତୀ ମିଳିଛି ଯାହାର ଐତିହ୍ୟ ଶତାଦ୍ଦୀ ପୂର୍ବରୁ ଆରମ୍ଭ ହୋଇଛି । ସେଥିମଧ୍ୟରୁ ଏକ ପ୍ରମୁଖ ଶୈଳୀ ହେଉଛି ଗୋଟିପୁଅ ସଂଗୀତ । ଏହି ଶୈଳୀ ହଜାର ବର୍ଷ ପୂର୍ବରୁ ବିକଶିତ ହୋଇଥୁଲା ଏବଂ ଏହା ପରମ୍ପରା ଭାବେ ଜଗନ୍ନାଥ ମନ୍ଦିର ସହ ଅନ୍ୟାନ୍ୟ ମନ୍ଦିରରେ ଗାୟନ କରାଯାଉଛି ।
ପ୍ରାକ୍-କିଶୋର ଅବସ୍ଥାରେ ଛୋଟ ପୁଅମାନଙ୍କୁ ଗୋଟିପୁଅ କୁହାଯାଏ ଯେଉଁମାନେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରନ୍ତି ଯାହା ଓଡିଶୀ ନୃତ୍ୟର ଏକ ପ୍ରମୁଖ ରୂପରେଖ । ଗୋଟିପୁଅମାନେ ଯୁବତୀଙ୍କ ଭଳି ପୋଷାକ ପିନ୍ଧି ଆକ୍ରୋବାଟିକ ନୃତ୍ୟ ପ୍ରଦର୍ଶନ କରନ୍ତି ଯେଉଁଥିରେ ଜଟିଳ ଭଙ୍ଗୀମାନ ଦେଖାଯାଇଥାଏ । ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ଇନ୍ଦାଲକୁସିଆରୀ ଗାଁ ର ନିବାସୀ ଲିଙ୍ଗରାଜ ବାରିକ (ଦଳ ମୁଖ୍ୟ) ଏହି ଗୋଟିପୁଅ ସଂଗୀତ ଓ ସଂଶ୍ଳିଷ୍ଟ ନୃତ୍ୟକୁ ବଞ୍ଚାଇ ରଖିବା ପାଇଁ ନିଜ ଗାଁ ରେ ରହି କାର୍ଯ୍ୟ କରିଆସୁଥିବା ପାରମ୍ପରିକ ଗାୟକଙ୍କ ମଧ୍ୟରୁ ଜଣେ ।
ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରୁ ପ୍ରଶିକ୍ଷଣପ୍ରାପ୍ତ ଏବଂ ରାଜ୍ୟର ବିଭିନ୍ନ ସଂସ୍ଥା ତରଫରୁ ଅନେକ ଥର ସମ୍ମାନିତ ହୋଇଛନ୍ତି । ସେ ଭାରତ ସହିତ ବିଦେଶରେ ମଧ୍ୟ ଗୋଟିପୁଅ ସଂଗୀତ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ଦଳର ମୁଖ୍ୟ ଲିଙ୍ଗରାଜ ବାରିକ ( ମୁଖ୍ୟ ଗାୟକ) ଙ୍କ ସମେତ ଆର୍ତ୍ତବନ୍ଧୁ ବାରିକ ( ସପୋଟିଂ ଗାୟକ), କୈଳାଶ ଚନ୍ଦ୍ର ବିଶ୍ଵାଳ(ମର୍ଦ୍ଦଳ), ବାବୁଲି ଭୂୟାଁ (ସପୋଟିଂ ଗାୟକ), ଶିବ ପ୍ରସାଦ ମହାପାତ୍ର (ମଞ୍ଜିରା) ଏବଂ ଜଗବନ୍ଧୁ ନାଏକ (ଭାଓଲିନ୍) ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result