No Result
View All Result
ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରେଳ ପଥ ମାଧ୍ୟମରେ ବେଆଇନ ନିଶା ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ସରକାରୀ ରେଳବାଇ ଥାନା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଚଳିତ ବର୍ଷ ରେଳବାଇ ପୋଲିସ ୩୩୫୨ କେଜିରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ଏନଡିପିଏସ ମାମଲା ନିୟମ ଅନୁଯାୟୀ ଅଦ୍ୟାବଧି ମୋଟ ୨୦୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୯୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଚଳିତ ବର୍ଷ ରେଳବାଇ ପୋଲିସ, କଟକ ୮୭ ଟି ମାମଲା ରୁଜୁ କରି ୧୪୮୯ କେଜିରୁ ଅଧିକ ଗଞ୍ଜେଇ ଜବତ ସହ ୧୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସେହିପରି ରେଳବାଇ ପୋଲିସ, ରାଉରକେଲା ୧୧୩ ଟି ମାମଲା ରୁଜୁ କରି ୧୮୬୩ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି । ଏହା ସହ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୧୮୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହିପରି ୨.୬୧ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ , ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, କେରଳ, ମହାରାଷ୍ଟ୍ର ଏବଂ ଗୁଜୁରାଟ ରାଜ୍ୟର ବୋଲି ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଛି । ସମସ୍ତ ମାମଲାଗୁଡିକର ତଦନ୍ତ ଜାରି ରହିଛି ଏବଂ ଏହାର ପଛରେ ଥିବା ଚୋରାଚାଲାଣ ନେଟୱର୍କକୁ ଭାଙ୍ଗିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ।

ରେଳପଥକୁ ମାଦକ ଚୋରାଚାଲାଣରୁ ମୁକ୍ତ ରଖିବା ପାଇଁ ରେଳ ସୁରକ୍ଷା ବଳ (ଆରପିଏଫ) ଓ ସରକାରୀ ରେଳବାଇ ପୋଲିସ (GRP) ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖାଯାଇ କଠୋର ଯାଞ୍ଚ ଓ ନିରୀକ୍ଷଣ କରାଯାଉଛି । ରାଜ୍ୟର ବହୁ ଗୁରୁତ୍ଵପୂର୍ଣ୍ଣ ରେଳ ଷ୍ଟେସନ ଯଥା ଭୁବନେଶ୍ଵର, କଟକ, ସମ୍ବଲପୁର, ପୁରୀ, ରାଉରକେଲା ଆଦି ଷ୍ଟେସନରେ ଓ ପକ୍ଷରୁ ମିଳିତ ଅଭିଯାନ କରାଯାଉଛି । ଟ୍ରେନରେ ସନ୍ଦେହଜନକ ଅନୁଭବ ହେଉଥିବା ବ୍ୟାଗ/ପାର୍ସେଲ ତନ୍ନ ତନ୍ନ ଭାବେ ଯାଞ୍ଚ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ସହ ବିଭିନ୍ନ ସମୟରେ ସନ୍ଧାନୀ କୁକୁର ଦ୍ବାରା ଷ୍ଟେସନ୍ ଓ ଟ୍ରେନ ବଗି ମଧ୍ୟରେ ଯାଞ୍ଚ କରାଯାଉଛି ।

ସାଧାରଣ ଲୋକମାନଙ୍କୁ ମାଦକ ବିରୋଧୀ ଅଭିଯାନରେ ସହଯୋଗ କରିବା ଓ ସନ୍ଦେହଜନକ ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି । ରେଳପଥକୁ ମାଦକ ଦ୍ରବ୍ୟ ଚୋରାଚାଲାଣରୁ ମୁକ୍ତ ରଖିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି । GRP ଓ RPF ମଧ୍ୟରେ ସମନ୍ୱୟ ରଖାଯାଇ କଠୋର ଯାଞ୍ଚ ପ୍ରକ୍ରିୟା ଜାରି ରହିବ । ନିଶା ମାଫିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ ଗ୍ରହଣ କରାଯାଉଛି ଏବଂ ଅପରାଧରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି ।

No Result
View All Result