ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) (ନିପ୍ର) ହିଞ୍ଜିଳିକାଟୁ :- ବିଜେଡ଼ି ସଭାପତି, ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପୌରାଞ୍ଚଳର କାଉନସିଲର, ନେତା ଓ କର୍ମୀ ଶୁକ୍ରବାର ନବୀନ ନିବାସରେ ଭେଟି ବିଭିନ୍ନ ଅଭିଯୋଗ ବିଷୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରି ଫେରିଛନ୍ତି । ଏହି ଅବସରରେ ସରକାରୀ ଅବହେଳା ଯୋଗୁଁ ପୌରାଞ୍ଚଳରେ ବିକାଶ କାମ ସ୍ଥାଣୁ ହୋଇ ଯାଇଥିବା ଓ ଆଇନ ଶୃଙ୍ଖଳା ରେ ଅଧୋଗତି, ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଉନ୍ନତ ଭିତ୍ତିଭୂମି ଥାଇ ସୁଦ୍ଧା ସରକାରଙ୍କ ଉଦାସୀନତା ଯୋଗୁଁ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ରହିଛି ।

ଏଣୁ ସାଧାରଣ ଲୋକେ ଉପଯୁକ୍ତ ସ୍ଵାସ୍ଥ୍ୟ ସେବା ପାଇ ପାରୁନାହାନ୍ତି । ଯୋଗ୍ୟ ବ୍ୟକ୍ତି ରାସନ୍ କାର୍ଡ ଓ ଭତ୍ତା ମନମୁଖୀ ଭାବେ କାଟି ଦିଆଯାଉଛି । ଦଳୀୟ ମନୋଭାବ ନେଇ ପୁଲିସ୍ ଅଭିଯୋଗକାରୀଙ୍କ ନାଁ ରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ନିର୍ଭୟରେ ବୁଲୁଛି । ପୌର ପରିଷଦ ରେ କର୍ମଚାରୀଙ୍କ ଅଭାବ ରହିଛି । ଏଭଳି ଅନେକ ଅଭିଯୋଗ ସମ୍ପର୍କରେ ବିଜେଡ଼ି ନେତା ଓ କର୍ମୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅବଗତ କରିଥିଲେ ।

ଶ୍ରୀ ପଟ୍ଟନାୟକ ଏସବୁ ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ଏବଂ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିକାଶ ଓ ଲୋକଙ୍କ ଅଭାବ ଓ ଅସୁବିଧା ଦୂର କରିବା ଦିଗରେ କାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।କିନ୍ତୁ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାମରେ ଅଧ୍ୟକ୍ଷା, ଜନ ପ୍ରତିନିଧି,ନେତା ଓ କର୍ମୀ ମାନଙ୍କୁ ଅଣଦେଖା ଓ ଉପେକ୍ଷା କରା ଯାଉଥିବା ବିଷୟରେ କିଛି ବି ଅବଗତ କରି ନ ଥିଲେ ।

ଆଲୋଚନା ସମୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ମହାରଣା ବିରୋଧୀ ଦଳର ନେତାଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିରୋଧୀ ଦଳର ନେତାଙ୍କ ହିଞ୍ଜିଳି ପ୍ରତିନିଧି ଦେବାନନ୍ଦ ମହାପାତ୍ର, ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ପୌର ପରିଷଦ ପ୍ରତିନିଧି ପ୍ୟାରୀ ମୋହନ ପାଢ଼ୀ, ହୃଦାନନ୍ଦ ମହାପାତ୍ର, ପ୍ରଦୀପ କୁମାର ପଣ୍ଡା,ମନୋଜ କୁମାର ପୋଲେଇ, ନୀଳମଣି ପଟ୍ଟନାୟକ, ଗନ୍ତାୟତ ଦଳାଇ, ବିଭୁ ପ୍ରସାଦ ପଣ୍ଡା, ଭିକା ବେହେରା,ରୀନା ଗୌଡ, ସୁପ୍ରଭା ମହାରଣାଙ୍କ ସମେତ ବିଜେଡ଼ି କାଉନସିଲର ଗଣ ଉପସ୍ଥିତ ଥିଲେ ।














