ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଇଂରାଜୀ ନବବର୍ଷ ୨୦୨୬ ଅବସରରେ ପ୍ରକାଶ ପାଇଛି ଶ୍ରୀମନ୍ଦିର ପ୍ରଶାସନର କ୍ୟାଲେଣ୍ଡର । ପୂର୍ବରୁ ଏହି କ୍ୟାଲେଣ୍ଡର ମୁଦ୍ରଣ ପରେ ମହାପ୍ରଭୁଙ୍କ ଚରଣକମଳରେ ଦେବାର୍ପଣ ହୋଇଥିବାବେଳେ ଗୁରୁବାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଭୁବନେଶ୍ବର ଠାରେ ଏହା ଲୋକାର୍ପିତ ହୋଇଯାଇଛି ।

ଏହି ଅବସରରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ପବିତ୍ର ମୋହନ ସାମଲ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଦିବ୍ଯଜ୍ଯୋତି ପରିଡା, ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ସୂଚନା କେନ୍ଦ୍ର ମାନଙ୍କରେ ଏହି କ୍ୟାଲେଣ୍ଡର ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ କ୍ରୟ ନିମନ୍ତେ ଉପଲବ୍ଧ ହେବ ।
ଏହି କ୍ୟାଲେଣ୍ଡରର କଳେବର ମହାପ୍ରଭୁଙ୍କ ବିଭିନ୍ନ ବେଶର ପଟ୍ଟଚିତ୍ର ,ବାଲୁକା କଳା ତଥା ତାଳପତ୍ର ପୋଥିର ଚାରୁକଳାକୁ ନେଇ ଆକର୍ଷଣୀୟ ଦୃଷ୍ଟିରୁ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ନିକଟରେ ଆଦୃତ ହେବ । ଇଂରାଜୀ ନବବର୍ଷ ଅବସରରେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ଅଭିନନ୍ଦନ ଜଣାଇବାସହ ମହାପ୍ରଭୁଙ୍କ ପଦ୍ମ ପାଦରେ ସମସ୍ତଙ୍କ ପାଇଁ ଆଶୀର୍ବାଦ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।














