No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମଙ୍ଗଳବାର ପୌଷ ମାସ ପ୍ରଥମ ଦିନରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଏକମାସ ଧରି ଦେବୀ ମହାଲକ୍ଷ୍ମୀ ବାପ ଘରକୁ ଯିବା ପରେ ମା ଯଶୋଦା ସକାଳୁ ଏହି ପହିଲି ଭୋଗ ପ୍ରସ୍ତୁତ କରିବା ବିଶ୍ବାସ ରହିଛି । ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏହି ଅବସରରେ ସୂର୍ଯ୍ଯ ଧନୁ ରାଶିକୁ ଚଳନ କରିବେ । ଆଜି ଧନୁ ମୁଆଁ ମଧ୍ଯ ମହାପ୍ରଭୁଙ୍କୁ ଲାଗି କରାଯାଇଛି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ ।

ପହିଲି ଭୋଗରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଖରେ ୩୨ ପ୍ରକାରର ପିଠା ଓ ଧନୁ ମୁଆଁ ଲାଗି ହେବ । ଏହି ଦିନମାନଙ୍କରେ ରାତ୍ର ଦୁଇ ଘଡିରୁ ଦ୍ୱାର ଫିଟା ନୀତି, ମଙ୍ଗଳ ଆଳତୀ, ଅବକାଶ ହୁଏ । ଏହା ପରେ ଘୋଡ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ । ପରେ ଭିତର ବାହାର ଶୋଧ ହୋଇ ଅଣସର ପିଣ୍ଡିଠାରେ ଗୋପଳବଲ୍ଲଭ ଭୋଗ ବଢାଯାଇ ଥାଏ । ଏହାପରେ ଅମୁଣିଆ ପାଣି ପଡିବା ଉତ୍ତାରୁ ପହିଲି ଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ ।
ପହିଲି ଭୋଗରେ ବିରି ଓ ଗହମରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାରରେ ପୂଜା କରାଯାଇଥାଏ । ପହିଲି ଭୋଗରେ ଲାଗୁଥିବା ପିଠା ଗୁଡିକ ମଧ୍ଯରେ ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ଲଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ପ୍ରଭୃତି ପିଠା ଲାଗି ହେବ । ପହିଲି ଭୋଗ ଆରମ୍ଭ ହେବାରୁ ସକାଳୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି ।

No Result
View All Result