ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ଶନିବାର ) ହିଞ୍ଜିଳିକାଟୁ :- ବୈଶ୍ବିକ ମହାମାରୀ କରୋନା ଓଡିଶା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାର ଅସଲ ସ୍ୱରୂପ ଧାରଣ କରିଛି । ଗତ ପ୍ରାୟ ୬ ମାସ ଧରି ଗଞ୍ଜାମ ଜିଲ୍ଲାରେ ବିଭୀଷିକା ଖେଳାଇ ଆତଙ୍କ ସୃଷ୍ଟି କରିଥିବା ବେଳେ ସମ୍ପ୍ରତି ସଂକ୍ରମଣ ହାରରେ ଆଶାତୀତ ହ୍ରାସ ପାଇଛି । ତଥାପି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଲକ ଅଞ୍ଚଳରେ ପ୍ରତିଟି ଗାଁ ରେ ଜିରୋ ଆକ୍ଟିଭ କେଶ ଲକ୍ଷ୍ୟ କରି ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । କିନ୍ତୁ କେତେବେଳେ କିଛି ଅସାବଧାନତା କାରଣରୁ କୋଭିଡ ମୁକାବିଲା କ୍ଷେତ୍ରରେ ନିୟୋଜିତ ଥିବା କର୍ମଚାରୀ ସଂକ୍ରମଣର ଶିକାର ହେଉଥିବା ସୂଚନା ମିଳିଛି । ଏହି କ୍ରମରେ ହିଞ୍ଜିଳି ବ୍ଲକ ସ୍ଥିତ କୃଷି ବିଭାଗରେ କାର୍ଯ୍ୟରତ ଅଧିକାରୀ ସଂକ୍ରମିତ ହେବା ଶନିବାର ଜଣାପଡିଛି । ଶେଷରେ କରୋନା କୃଷି ବିଭାଗ ଆଡକୁ ମୁହାଁଇବା ଘଟଣାରୁ ହିଞ୍ଜିଳିରେ କରୋନାର ସ୍ଥିତି ସକ୍ରିୟ ଥିବା ସ୍ପଷ୍ଟ ସଂକେତ ମିଳିଛି ।
ସ୍ଥାନୀୟ କୃଷି କାର୍ଯ୍ୟାଳୟରେ ଅବସ୍ଥାପିତ ହିଞ୍ଜିଳି ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥଙ୍କ ଗତ କିଛି ଦିନ ଧରି ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇଥିଲା । ପରେ ତାଙ୍କ କୋଭିଡ ପରୀକ୍ଷଣ ରିପୋର୍ଟରୁ କରୋନା ପଜିଟିଭ ଥିବା ଜଣାପଡି ଥିଲା । ଫଳରେ ଗତ ମଙ୍ଗଳବାର ଠାରୁ ସେ ଚିକିତ୍ସିତ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥି ସହିତ ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ ବେକେ ସେ ମଧ୍ୟ କୋଭିଡ ନମୁନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଥିବା ସୂଚନା ମିଳିଛି । କୃଷି କାର୍ଯ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ କରୋନା ପ୍ରତି ସଚେତନ ରହି ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ଜଣାପଡିଛି । (ରିପୋର୍ଟ – ଶୁସାନ୍ତ ପ୍ରଧାନ )














