No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରଗତି କରୁଛି ପୁରୀ । ଭାଟିକାନ ସିଟିର ସ୍ବପ୍ନ ଦେଖାଇ ଦିଆଯାଉଛି । ପୁରୀ ହେବ ମହାନଗର କଥାଟି କାନକୁ ଭଲ ଶୁଭୁଛି । ବିଧିବଦ୍ଧ ଭାବେ ଘୋଷଣା କରାଯାଉନାହିଁ । ପୁରୀରେ ଅଧିକାଂଶ ଉର୍ନ୍ନତିମୂଳକ କାର୍ଯ୍ୟ ଅଧାଗଢାରେ ପଡି ରହିଛି । ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଦୀପତଳ ଅନ୍ଧାର ପରି ବୋଷଛକର ବାମ ପାର୍ଶ୍ବରେ ଭୂତକୋଠି ପରି ପାଚେରୀ ନଥିବା ଏକ ଭଗ୍ନ କୋଠାଘର ବହୁବର୍ଷ ଧରି ପଡି ରହିଲାଣି ।

ରାତିରେ ଚିଁ ଚାଁ ଓ ଫଅଁ ଫଅଁ ଶଦ୍ଦ ଶୁଭୁଥିବା ଅଞ୍ଚଳବାସୀ କହୁଛନ୍ତି । କିଛିବର୍ଷ ପୂର୍ବେ ଏହି ଗୃହଟିକୁ ଅକ୍ତିଆର କରିବା ଉଦ୍ଦେଶ୍ଯରେ ଜୈନିକ ହୋଟେଲ ମାଲିକ ତାର ଶ୍ରମିକ ରଖି ସେଠାରେ ବେଡସିଟ୍, ଲୁଗା ସଫାକରି ସୁଖା ଯାଉଥିବା ଦେଖିବାକୁ ମିଳିଥିଲା । ଏହି ଘରଟି କାହିଁ ଏପରି ପଡି ରହିଛି । କିଏ ତାର ମାଲିକ । ମାଲିମକଦ୍ଦମା କଣ ଚାଲିଛି । ତାର ବଂଶାନୁକ୍ରମିକ ଲିଗାଲ ହେୟାର କିଏ । ଏହି ମୂଲ୍ୟବାନ ସମ୍ପତ୍ତିକୁ ହାତେଇବା ପାଇଁ କିଏ ଚକ୍ରାନ୍ତ କରୁଛି । ଏ ସମ୍ପର୍କରେ ଅଞ୍ଚଳବାସୀ କୌଣସି ସୁରାକ ପାଇ ପାରୁନାହାନ୍ତି ।

ଫରେଷ୍ଟ ଲୋକେସନ ମ୍ଯାପରେ ଏହି ଘରଟି ପୁରୀ ପୌରସଂସ୍ଥା ଓ୍ବାର୍ଡ ନମ୍ବର ୧୯, ଖାତା ନମ୍ବର ୧୦,ପ୍ଲଟ ନମ୍ବର ୧୦୧ ପ୍ରଦର୍ଶିତ ହେଉଛି । ଏହାର ମାଲିକ ଅଜିତ କୁମାର ମିତ୍ର, ରଣଜିତ କୁମାର ମିତ୍ର ପିତା ସଚିନାଥ ମିତ୍ର ଜାତି ବଙ୍ଗାଳି ବାସସ୍ଥାନ ହୁଗୁଳି କଲିକତା ବୋଲି ପ୍ରଦର୍ଶିତ ହେଉଛି । ଏହା ଘରବାଡି ୧ ଓ ୬୮ ଡିସିମିଲ ବୋଲି ଜଣାପଡିଛି । ଏହି ଘରର ସମ୍ମୁଖ ଓ ବାମପଟେ ଉଠାଦୋକାନୀ, ଜଳଖିଆ ଦୋକାନୀ, ଟୁରିଷ୍ଟ କାଉଣ୍ଟର ଆବଦ୍ଧ କରି ରଖିଛନ୍ତି ।

ବାମ ପାର୍ଶ୍ବରେ ବାଉଁଶ ଓ କଳା ଜରିପାଲ ପକାଇ କିଛି ବ୍ଯକ୍ତି ଅକ୍ତିଆର କରି ରଖିଛନ୍ତି । ଘର ଚାରିପଟେ ପାଚେରୀ ନଥିବାରୁ ରାତିରେ ପର୍ଯ୍ୟଟକ ଡରି ଯାଉଥିବା କୁହାଯାଉଛି । ଅଳିଆ ଗଦା କରି ନିଆଁ ଲଗାଇବା ଯୋଗୁ କିଛି ଗଛ ପୋଡି ଯାଇଥିବା ଦେଖିବାକୁ ମିଳିଛି । ସେଠାରେ କିଛି ପ୍ରଚାର ବୋର୍ଡ ଫ୍ଲେକ୍ସ ଓ ଲୁହାଖୁଣ୍ଟ ପୋତାଯାଇଛି । ସେହି ଘରର ବାମପାର୍ଶ୍ଵ ସମ୍ମୁଖ ପଟେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ଯାଳୟ ରହିଛି ।

ପ୍ରଶାସନ ପକ୍ଷରୁ ଅସୁରକ୍ଷିତ କୋଠା ଘୋଷଣା ଓ ସଫା କରି ପାଚେରୀ ନିର୍ମାଣ କରାଯାଉନାହିଁ । ରାଜକୀୟ ଢାଞ୍ଚାରେ ନିର୍ମିତ ଏହି ଗୃହ ଭିତରେ ଶହ ଶହ ମଦ ବୋତଲ, ପଲିଥିନ, ପ୍ଲାଷ୍ଟିକ ପାଣି ବୋତଲ, ମହିଳାଙ୍କ ଚିରାଲୁଗା ଓ ବ୍ଲାଉଜ ଆପତ୍ତିଜନକ ସାମଗ୍ରୀ ପଡି ରହିଥିବା ଦେଖିବାକୁ ମିଳିଛି । ଗାଇ ଗୋବର ଓ ମଣିଷ ମଳତ୍ଯାଗ କରୁଥିବା ଦେଖିବାକୁ ମିଳୁଛି । ଏହାକୁ ଦେଖିଲେ ସ୍ବଚ୍ଛ ପୁରୀ ଗର୍ବ ଆମରି କେହି କହିବେ ନାହିଁ ।

ସେହି ଭଙ୍ଗା ଘରକୁ ନେତାଜୀ ସୁବାଷ ବୋଷଙ୍କ ପ୍ରତ୍ତିମୂର୍ତ୍ତି ଚାହିଁ ରହିଛି । ଲୁଣି ପବନରେ ଇଟା ସବୁ ଖସି ପଡିଲାଣି । ଛାତ ଫାଟିବା ସହ କାନ୍ଥରେ ଫାଟ ସୃଷ୍ଟି ହୋଇଛି । ସଞ୍ଜ ନଇଁଲେ ଅସଞ୍ଜତ ହେଉଛି ଏହି ସ୍ଥାନ । ମଦୁଆଙ୍କ ଆଡ୍ଡା ସହ ମଦ ବୋତଲ ଗଡୁଛି । ବେଳେ ବେଳେ ସେଠାରେ ତ୍ରିନାଥ ମେଳା କରି କିଛି ନିଶାଖୋର ଚିଲମଧୂଆଁ ଉଡାଉଛନ୍ତି । କାନ୍ଥ ଫାଟରେ ଚିତି ସାପ କାତି ଛଡାଇଛି ।

ଚାରି ପାଞ୍ଚଟି ନାଗସାପ ବୁଲୁଥିବା, ବଡ ବଡ ମୂଷା, ଚନ୍ଦ୍ରବୋଡା ସାପ,ଲାଉଡକିଁଆ ସାପ,କଙ୍କଡା ବିଛାଙ୍କ ଅଭୟାରଣ୍ୟ ପାଲଟିଛି । ଅନେକ ସରକାରୀ କାର୍ଯ୍ଯାଳୟ ଭଡାରେ ଚାଲୁଥିବା ବେଳେ ଏଠାରେ ସମସ୍ତିଙ୍କ ଆଖି ଜଳକା କରିବାପରି ବହୁ ମୂଲ୍ୟବାନ ସମ୍ପତ୍ତି ପଡି ରହିଛି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାପାଇଁ ଅଞ୍ଚଳବାସୀ, ପୁରୀବାସୀ ଓ ପର୍ଯ୍ୟଟକମାନେ ଚିନ୍ତାପ୍ରକଟ କରିଛନ୍ତି ।

No Result
View All Result