ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ପୁରୀ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଭିନ୍ନକ୍ଷମ ମାନେ ସମାଜର ଅଭିନ୍ନ ଅଙ୍ଗ।ସେମାନେ ସମାଜ ପାଇଁ ବୋଝ ନୁହନ୍ତି।ସେମାନଙ୍କ ଦକ୍ଷତା ଓ ପ୍ରତିଭା ର ଉନ୍ମେଷ ଘଟିଲେ

ସେମାନେ ସମାଜ ପାଇଁ ସମ୍ବଳ ପାଲଟିବେ ବୋଲି କହିବା ସହ ସମାଜ ରେ ହଜାର ହଜାର ବିକଶିତ ଓ ସମୃଦ୍ଧ ଭିନ୍ନକ୍ଷମ ଙ୍କ ଉଦାହରଣ ଅନ୍ୟ ମାନଙ୍କୁ ଅନୁପ୍ରାଣିତ କରୁଛି ବୋଲି କହିଥିଲେ।ମୁଖ୍ୟ ବକ୍ତା ଭାବେ ଭିନ୍ନକ୍ଷମ ବ୍ୟକ୍ତିତ୍ବ ତଥା ସର୍ବଗିଳା ନାମରେ ପରିଚିତ ରତ୍ନାକର ବେହେରା ଭିନ୍ନ ପ୍ରକାର କ୍ଷମତା ସେମାନଙ୍କ ପାଖରେ ଅଛି ବୋଲି ସେମାନଙ୍କୁ ଭିନ୍ନକ୍ଷମ କୁହାଯାଏ।ଅନେକ ଭିନ୍ନକ୍ଷମ ସମାଜ ର ସକ୍ଷମ ଙ୍କ ଠାରୁ ମଧ୍ୟ ଅଧିକ ଦକ୍ଷ ବୋଲି କହିବା ସହ ସର୍ବାଙ୍ଗ ଠିକ ଥାଇ ମଧ୍ୟ ଜଣେ ଯଦି ଆଳସ୍ୟ ରହେ ତେବେ ସେ ହିଁ ଭିନ୍ନକ୍ଷମ ପଦବାଚ୍ଯ ବୋଲି କହିଥିଲେ ।

ଅନ୍ୟତମ ଭିନ୍ନକ୍ଷମ ଅତିଥି ଗଜଲକ୍ଷ୍ମୀ ରାୟ ବିଭିନ୍ନ କାର୍ଯ୍ୟାଳୟ ମାନଙ୍କ ରେ ଭିନ୍ନକ୍ଷମ ମାନଙ୍କ ପାଇଁ ରାମ୍ପ ଓ ଅନ୍ୟାନ୍ୟ ସୁବିଧା ପାଇଁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ମମତାରାଣୀ ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନମିତା ଚାନ୍ଦ ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ସମାଜସେବୀ ସିଦ୍ଧାର୍ଥ ରାୟ ମଞ୍ଚ ପରିଚାଳନା କରିଥିଲେ।ପାଞ୍ଚ ଜଣ ସ୍ବ ଊଦ୍ୟମରେ ପ୍ରତିଷ୍ଠିତ ଭିନ୍ନକ୍ଷମ ବ୍ୟକ୍ତି ସମାଜସେବୀ ସୁମନ୍ତ କୁମାର ମହାରଣା,କ୍ରୀଡାବିତ ରଶ୍ମିତା ଜେନା, ସୁନୀତା ମିଶ୍ର ଓ ପତ୍ରକାର ବିଜୟ କୁମାର ମିଶ୍ର ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।















