ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜ୍ୟର ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଆଧୁନିକ ଦକ୍ଷତାରେ ପାରଦର୍ଶୀ କରିବା ଏବଂ ସେମାନଙ୍କ ଜୀବିକା ଅବସରକୁ ବିସ୍ତାରିତ କରିବା ଉଦ୍ଦେଶ୍ୟରେ, ମିଶନ ଶକ୍ତି ଓ ବିଶ୍ୱ ଦକ୍ଷତା କେନ୍ଦ୍ରର ମିଳିତ ଉଦ୍ୟମରେ ୧୨ ସପ୍ତାହବିଶିଷ୍ଟ “ବିୟୁଟି ଏବଂ ୱେଲନେସ୍” ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୮ଟି ଜିଲ୍ଲାର ୧୮ ଜଣ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ତାଲିମ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶ୍ଵ ଦକ୍ଷତା କେନ୍ଦ୍ରରୁ ୧୬୦ ଜଣ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ବିୟୁଟି ଓ ୱେଲନେସ୍ ପାଠ୍ୟକ୍ରମରେ ପ୍ରଶିକ୍ଷଣ ପାଇଛନ୍ତି। ଏହି ଅବସରରେ ଆଜି ଭୁବନେଶ୍ଵର ସ୍ଥିତ ମିଶନ ଶକ୍ତି ଭବନଠାରେ “ଦୀକ୍ଷାନ୍ତ ସମାରୋହ” ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ ୧୮ ଜଣ ପ୍ରଶିକ୍ଷାର୍ଥିମାନଙ୍କୁ ମାନପତ୍ର ସହ ସମ୍ମାନିତ କରିଥିଲେ। ସେଥି ମଧ୍ୟରୁ ୩ ଜଣ ଶ୍ରେଷ୍ଠ ପ୍ରଶିକ୍ଷାର୍ଥିଙ୍କୁ ଯଥାକ୍ରମେ ପ୍ରଥମ ଓ ୨ ଜଣଙ୍କୁ ଦ୍ଵିତୀୟ ଭାବେ ସ୍ଵର୍ଣ୍ଣ ଓ ରୌପ୍ୟ ପଦକ ସହ ୨୫୦୦୦ ଏବଂ ୨୦୦୦୦ ଟଙ୍କାର ଅର୍ଥରାଶି ଓ ଟ୍ରଫି ପ୍ରଦାନ କରିଥିଲେ ।
ଏହି ଅବସରରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ପ୍ରଶିକ୍ଷଣ ଯାତ୍ରା ଉପରେ ଏକ ଛୋଟ ଭିଡିଓ ପ୍ରଦର୍ଶିତ ହେଇଥିଲା। ତାପରେ ସଦସ୍ୟାଙ୍କ ଦ୍ୱାରା “ସୃଜନୀ” – ଇଣ୍ଡିୟାନ୍ ବ୍ରାଇଡାଲ୍ ଫ୍ୟାସନ୍ ଶୋ ପ୍ରଦର୍ଶନ କରାଯାଇଥିଲା। ପ୍ରଶିକ୍ଷାର୍ଥିମାନେ ବିଭିନ୍ନ ଇଣ୍ଡିୟାନ୍ ବ୍ରାଇଡାଲ୍ ସାଜସଜ୍ଜା ମାଧ୍ୟମରେ ନିଜର ପ୍ରତିଭା ଓ ପାରଦର୍ଶିତା ଦେଖାଇଥିଲେ ।















