ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହୀଦଙ୍କ ପ୍ରତି ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟେକ ପର୍ଯ୍ୟାୟରେ ଓଡ଼ିଶାର ଆଦିବାସୀ ସମାଜ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ସେମାନଙ୍କର ଦେଶପ୍ରେମ, ଜାତୀୟତାବୋଧ ଓ ସ୍ବାଭିମାନର ପରିଚୟ ଦେବାକୁ କେବେ ଭୁଲି ନାହାନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ କୋରାପୁଟ ଜିଲ୍ଲାରେ ଭାରତଛାଡ ଆନ୍ଦୋଳନର ନେତୃତ୍ଵ ନେଇଥିବା ଆଦିବାସୀ ବୀର ଲକ୍ଷ୍ମଣ ନାୟକଙ୍କ ଅସାଧାରଣ ଦେଶପ୍ରେମ, ଅଦମ୍ୟ ସାହସ ଓ ନିର୍ଭୀକ ସଂଗ୍ରାମୀ ଜୀବନ ଓ ଅସୀମ ତ୍ୟାଗ ଏ ଜାତି ପାଇଁ ଗର୍ବ ଓ ଗୌରବର ବିଷୟ । ଲକ୍ଷ୍ମଣ ନାୟକ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ଦିନ ତାଙ୍କୁ ଭକ୍ତି ଓ ନତମସ୍ତକ କରିବାକୁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଆହ୍ଵାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।















