ଓଡ଼ିଶା ତାଜା ନ୍ୟୁଜ (୧୬ ସେପ୍ଟେମ୍ବର ବୁଧବାର) ଭୁବନେଶ୍ବର :- ଓଡ଼ିଆ ସମାଜ, ନାଇଜେରିଆ (ଓ ସା ନ) ଦ୍ୱାରା ଶ୍ରୀ ଜଗନ୍ନାଥଙ୍କର ତତ୍ୱ ଓ ଦର୍ଶନ ଆଧାରିତ ଏକ ଆନ୍ତର୍ଜାତୀୟ ୱେବିନାର ଖୂବ ସଫଳତାର ସହିତ ଆୟୋଜନ କରାଯାଇଛି । ‘ଶ୍ରୀ ଜଗନ୍ନାଥ ଚେତନା ଓ ଚିନ୍ତନ ଆନ୍ତରାଷ୍ଟ୍ରୀୟ ମହାସଭାର ସହଯୋଗରେ ଅନୁଷ୍ଠିତ ଏହି ଅନଲାଇନ ଆଲୋଚନା ଚକ୍ରରେ ବିଶ୍ୱ ର ୨୦ ଟି ଦେଶ ଓ ଭାରତ ବର୍ଷ ର ବିଭିନ୍ନ ସହରରୁ ଜଗନ୍ନାଥଙ୍କର ଭକ୍ତ, ଶ୍ରଦ୍ଧାଳୁ ଓ ଆଧ୍ୟାତ୍ମିକ ଗୁରୁ ମାନେ ଯୋଗ ଦେଇଥିବା ଦେଖାଯାଇଥିଲା ।
ଏହି ଅବସର ରେ ‘ଭାବ ର ଠାକୁର ଶ୍ରୀ ଜଗନ୍ନାଥ’ ବିଷୟ ବସ୍ତୁ ଉପରେ ଏକ ପ୍ରବଚନ ପ୍ରସିଦ୍ଧ ଧର୍ମାଧିକାରୀ ପୁରୀ ଗୋବର୍ଧନ ପୀଠ ର ପଣ୍ଡିତ ମାତୃ ପ୍ରସାଦ ମିଶ୍ର ବେଶ ସାରଗର୍ଭକ, ସୁନ୍ଦର ତଥା ସାବଲୀଳ ଢଙ୍ଗରେ ପ୍ରଦାନ କରିଥିଲେ । ଉତ୍ସବ ଆରମ୍ଭ ରେ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଗୌରୀ ଶଙ୍କର ଦାସ ବଡ଼ ଠାକୁରଙ୍କର ସ୍ତୁତି ଉଦେଶ୍ୟରେ ଭକ୍ତି ଅର୍ଘ୍ୟ ଭାବରେ ମଙ୍ଗଳାଚରଣ ପରିବେଷଣ କରି ଦର୍ଶକ ମାନଂକୁ ମନ୍ତ୍ର ମୁଗ୍ଧ କରିଦେଇଥିଲେ |ୱେବ ସମାବେଶରେ ବରିଷ୍ଠ ସମ୍ପାଦକ କିଶୋର ଦ୍ବିବେଦୀଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥଙ୍କର ଆଲୋକିକତା ଆଧାରିତ ଅଙ୍ଗେନିଭା କାହାଣୀ ‘ବିନା ଟିକେଟ ରେ ଜଗନ୍ନାଥଙ୍କର ଆଣ୍ଡାମାନ ଯାତ୍ରା’ ର ନିଖୁଣ ଓ ପ୍ରାଞ୍ଜଳ ଉପସ୍ଥାପନା ଖୂବ ମର୍ମସ୍ପର୍ଶୀ ଥିଲା ।
SJCCAM ର କର୍ମକର୍ତ୍ତା ବୃନ୍ଦ ଏହାର ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଏହା ମଧ୍ୟରେ ମାସିକ ୱେବନାର କରାଯିବା, ପୁରୀରେ ବାର୍ଷିକ ମହାସଭା ଆୟୋଜନ,ଡିଜିଟାଲ ଲାଇବ୍ରେରୀ ସ୍ଥାପନା ଓ ପୁରୀ ନିକଟରେ ଗ୍ଲୋବାଲ ଜଗନ୍ନାଥ ଗ୍ରାମ ତଥା ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରାଯିବା ଆଦି ସାମିଲ ଥିଲା । ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ଅନଲାଇନ ମାଧ୍ୟମରେ ଲାଗୋସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଦର୍ଶନ କରିବା ସହିତ ସିଧାସଳଖ ” ଧ୍ବଜା – ପରିବର୍ତନ ଓ ଏକାଦଶୀ ମହାଦୀପ” ର ପବିତ୍ର ଦୃଶ୍ୟ ଦେଖିବାର ମଧ୍ୟ ସୌଭାଗ୍ୟ ଲାଭ କରିଥିଲେ ।
ଏହି ଇଣ୍ଟରନେଟ ସମାରୋହ ରେ ଉପସ୍ଥିତ ଥିବା ମାନ୍ୟ ଗଣ୍ୟ ବ୍ୟକ୍ତି ମାନଂକ ମଧ୍ୟ ରେ ଆମେରିକା ରୁ ଡ଼. ଭାଗବତ ସାହୁ,ଲଣ୍ଡନ ରୁ ସୁକାନ୍ତ କୁମାର ସାହୁ, କାନବେରା ରୁ ତରୁଣ ଅଗସ୍ତି, ବେଙ୍ଗାଳୁରୁ ରୁ ଜଷ୍ଟିସ ଜେ. ପୀ. ଓଦଗାତା ଓ ମନୋଜ ପାତ୍ର, ମୁମ୍ବାଇ ରୁ ଭଗବାନ ପଣ୍ଡା, ଭୁବନେଶ୍ୱର ରୁ ଡ଼. ଏଚ.ପୀ. ଦାସ, ବରଦା ପ୍ରସନ୍ନ ଦାସ, ଚିନ୍ମୟୀ ଶତପଥୀ, ଗାନ୍ଧୀଧାମ ରୁ ରମାକାନ୍ତ ମହାପାତ୍ର, ପୁରୀ ରୁ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ଗୌହାଟୀ ରୁ ମନୋରଞ୍ଜନ ଦାସ, ଅହମଦାବାଦ ରୁ ବସନ୍ତ ପଣ୍ଡା, ନାଗପୁର ରୁ ଅନୁପ ଶତପଥୀ ଏବଂ ଚେନ୍ନାଇ ରୁ ଶାନ୍ତନୁ ଜେନା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଶର୍ମିଷ୍ଠା ଜେନାମଣି ଓ ସୌମ୍ୟକାନ୍ତ ସାହୁ ସମଗ୍ର କାର୍ଯ୍ୟକ୍ରମ ର ସୁସଂଯୋଜନା କରିଥିଲେ । ଓସାନ ଦ୍ୱାରା ଆୟୋଜିତ ଆଧ୍ୟାତ୍ମିକ ୱେବିନାର ମାଳା ର ଏହି ଚତୁର୍ଥ ସଂସ୍କରଣକୁ ସୁପରିଚାଳନା ଓ ସୁସମ୍ପନ୍ନ କରିବାରେ ଏହାର ସଭାପତି ଅଶୋକ ନାୟକ ଓ ଉପସଭାପତି ରମେଶ ବିଶ୍ୱାଳ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।