ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜଗତରବନ୍ଧୁ ମହାପ୍ରଭୁ ଜଗବନ୍ଧୁ । ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥ । ଭକ୍ତ ଅସମୟରେ ପଡି ହାତ ଟେକିଲେ ପ୍ରଭୁ ରକ୍ଷା କରିଥାନ୍ତି । ସେହିପରି ଜଣେ ଭକ୍ତ ବନ୍ଧୁ ମହାନ୍ତି ଭୋକରେ ଶ୍ରୀଜଗନ୍ନାଥଙ୍କ ନାମ ସୁମରଣ କରି ଶୋଇପଡିଥିଲା । ଏହା ଜାଣି ପାରି ମହାପ୍ରଭୁ ଶ୍ରୀଜଗନ୍ନାଥ ସୁନା ଥାଳିରେ ମହାପ୍ରସାଦ ସେବନ କରିବା ପାଇଁ ହାତକୁ ଦେଇଥିଲ । ସକାଳୁ ଶ୍ରୀମନ୍ଦିରରେ ସୁନା ଥାଳି ନମଳିବାରୁ ସେବକ ମାନେ ବନ୍ଧୁ ମହାନ୍ତିଙ୍କ ପାଖରୁ ପାଇବା ପରେ ଚୋର ଭାବି ରାଜାଙ୍କ ପାଖରେ ହାଜର କରିଥିଲେ । ଗଜପତି ମହାରାଜ ପ୍ରତାପରୁଦ୍ର ଦେବଙ୍କୁ ମହାପ୍ରଭୁ ସ୍ବପ୍ନାଦେଶ କରିବାରୁ ସେ ବନ୍ଧୁ ମହାନ୍ତିଙ୍କୁ ଛାଡି ଶ୍ରୀକ୍ଷେତ୍ରରେ ଅବସ୍ଥାନ କରାଇଥିଲେ ।

ଶ୍ରୀମନ୍ଦିର ପୂର୍ବ-ଦକ୍ଷିଣ କୋଣରେ ପେଜନଳା ପାଖରେ ଥିବା ବଟବୃକ୍ଷ ତଳେ ରହିଛି ବନ୍ଧୁ ମହାନ୍ତିଙ୍କ ଆଶ୍ରମ । ବନ୍ଧୁ ମହାନ୍ତିଙ୍କ ଘର ଯାଜପୁର ଜିଲ୍ଲାର ଜାହନପୁର ଅନ୍ତର୍ଗତ କପିଳେଶ୍ଵରପୁର ଗ୍ରାମରେ । ସେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ । ପିଲାଦିନରୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ରଖିଥିଲେ । ସେ ଅତି ଗରିବ ଭକ୍ତ ଥିଲେ। ଭିକମାଗି ଚଳୁଥିଲେ। ଗ୍ରାମରେ ଦାରିଦ୍ର୍ଯ ଜୀବନ ଯାପନ କରୁଥିବା ସମୟରେ ଦୁର୍ଭିକ୍ଷ ଓ ଖାଦ୍ଯ ଅଭାବ ଦେଖା ଦେଇଥିଲା ।

ତାଙ୍କ ସ୍ତ୍ରୀ ପଦ୍ମାବତୀ କହିଲେ ତମର ତ ବନ୍ଧୁ ଶ୍ରୀକ୍ଷେତ୍ରରେ ଅଛନ୍ତି । ଚାଲ ସେଠାକୁ ଯାଇ ବନ୍ଧୁଙ୍କୁ ଗୁହାରି କରିବା । ତାଙ୍କ ଦୁଇଝିଅ ହେଲେ ଲକ୍ଷ୍ମୀ ଓ ସରସ୍ଵତୀ ଓ ଏକ ମାତ୍ର ପୁତ୍ର ଶ୍ଯାମସୁନ୍ଦର ସହ ଚାଲି ଚାଲି ପୁରୀରେ ପହଞ୍ଚିଥିଲେ । ଶ୍ରୀମନ୍ଦିରକୁ ଯାଇ ବନ୍ଧୁଙ୍କୁ ଦେଖା କରିବାକୁ ଚାହିଁଥିଲେ ହେଲେ ଗହଳି ହେତୁ ସିଂହଦ୍ଵାର ଠାରୁ ଫେରି ପେଜନଳା ନିକଟରେ ବସି ରହିଥିଲେ। ଅଧିକ ଭୋକ ହେବାରୁ ପେଜନଳାରୁ ପେଜପିଇ ଶୋଇ ପଡିଥିଲେ ।















