No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ମିଳନୀ କକ୍ଷରେ ୭୦ ଜଣ ପାରାଲିଗାଲ ସ୍ବେଛାସେବୀ ଓ ପ୍ୟାନେଲ ଆଡଭୋକେଟଙ୍କୁ ନେଇ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କିତ ତାଲିମ୍ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ପ୍ରଶାସନ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପୁରୀଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ l

ସେ କହିଥିଲେ ମିଶନ ବାତ୍ସଲ୍ୟ ଯୋଜନା ଅନ୍ତର୍ଗତ ସେବାଗୁଡିକ ବିଷୟରେ ସଚେତନତା ସୃଷ୍ଟିକରି ଶିଶୁମାନଙ୍କୁ ସୁରକ୍ଷିତ ରଖିବାକୁ ପ୍ରୟାସ କରିବା ଜରୁରୀ l କାର୍ଯ୍ୟକ୍ରମରେ ଶିଶୁ ମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକାରୀ ହେଉଥିବା ସମସ୍ତ ଆଇନ ଯଥା : କିଶୋର ନ୍ୟାୟ ଆଇନ, ଶିଶୁମାନଙ୍କୁ ଯୌନ ଶୋଷଣ ସୁରକ୍ଷା ଆଇନ, ଶିଶୁ ଶ୍ରମ ନିଷେଧ ଅଧିନିୟମ, ବାଲ୍ୟ ବିବାହ ନିଷେଧ ଆଇନ ବିଷୟରେ ବିଷଦ ଆଲୋଚନା ଓ ତାଲିମ୍ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଯୋଗ ଦେଇ କହିଥିଲେ ଯେ, ବିପଦରେ ପଡ଼ିଥିବା ବା ବିପଦ ବଳୟକୁ ଚାଲିଯିବାର ସମ୍ଭାବନା ଥିବା ଶିଶୁ ମାନଙ୍କୁ ଉଦ୍ଧାର, ଥଇଥାନ, ସାମାଜିକ ସମ୍ମିଶ୍ରଣରେ ପାରାଲିଗାଲ ଭଲ୍ୟୁଣ୍ଟରଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏଣୁ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କିତ ଆଇନ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅବଗତ ହୋଇ ତୃଣମୂଳସ୍ତରରେ ଜନସାଧାରଣଙ୍କୁ ସଚେତନ କରିବାକୁ ଆହ୍ୱାନ କରିଥିଲେ ।

ସମ୍ମାନିତ ଅତିଥି ଭାବରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡଃ ଅଜିତ କୁମାର ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ପରିତୋଷ କୁମାର ସେଠୀ, କିଶୋର ନ୍ୟାୟ ବୋର୍ଡ଼ ଅଧ୍ୟକ୍ଷ ଶୋଭେନ୍ କାନୁନଗୋ ପ୍ରମୁଖ ଯୋଗ ଦେଇ ଶିଶୁ ସୁରକ୍ଷାର ଆଇନଗତ ଦିଗ ଉପରେ ଆଲୋକପାତ କରିଥିଲେ। ୟୁନିସେଫର ପରାମର୍ଶ ଦାତା, ଘାସିରାମ ପଣ୍ଡା ତାଲିମଦାତା ଭାବରେ ଯୋଗ ଦେଇ ବାଲ୍ୟ ବିବାହ ନିଷେଧ ଓ ଶିଶୁ ମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ସମ୍ବନ୍ଧରେ ଆଇନ, ଯୋଜନା ଏବଂ ପ୍ରତିଷେଧକ ବ୍ୟବସ୍ଥା ଗୁଡିକ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଆଇନ ପରିବୀକ୍ଷ ଅଧିକାରୀ ସନ୍ତୋଷ କୁମାର ସାହୁ ଆଇନ୍ ସହିତ ଦ୍ୱନ୍ଦରେ ଥିବା ଶିଶୁ ମାନଙ୍କ ଥଇଥାନ ସମ୍ପର୍କରେ ଆଲୋଚନା କରିଥିଲେ l ବିଭିନ୍ନ ଯୋଜନା ସହିତ ଏହି ଶିଶୁମାନଙ୍କୁ ଯୋଡ଼ିବା ସହିତ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସାମୁହିକ ସହଯୋଗରେ କାମ କରିବାକୁ କହିଥିଲେ l ସୁରକ୍ଷା ଅଧିକାରୀ ଶୁଭନାରାୟଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ହେଲ୍ପଲାଇନ୍ ର କର୍ମକର୍ତ୍ତା ସହଯୋଗ କରିଥିଲେ l

No Result
View All Result