No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାଜ୍ୟ ପୋଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି କଟକସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୦ ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଗୁରୁବାର ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରୁ ୨୮୨ ଜଣ ପ୍ରତିଯୋଗୀ, ୪୩ ଶ୍ଵାନ, ୪୩ ଜଣ ହ୍ୟାଣ୍ଡେଲର ଅଂଶ ଗ୍ରହଣ କରିଛନ୍ତି ।

୪୨ ଜଣ ଇନ୍ସପେକ୍ଟର, ୩୪ ଜଣ ଏସ.ଆଇ, ୫୯ ଜଣ ଏ.ଏସ.ଆଇ, ୧୬ ଜଣ ହାବିଲଦାର, ୧୩୧ ଜଣ କନଷ୍ଟେବଳ ଏବଂ ୪୩ ଟି ପୋଲିସ ଶ୍ଵାନ (କେ-୯ ) ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଡ଼ିଜିପି ଶ୍ରୀ ଖୁରାନିଆ ଅପରାଧ ନିରାକରଣ ଏବଂ ଅପରାଧ ଅନୁସନ୍ଧାନ ପୋଲିସର ମୁଖ୍ୟ ଦାୟିତ୍ଵ ବୋଲି କହିବା ସହ ଦୋଷୀଟିଏ ଉପଯୁକ୍ତ ଦଣ୍ଡ ପାଇବାରେ ପୋଲିସର ମୁଖ୍ୟ ଭୂମିକା ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ।

ପୋଲିସର ତଦନ୍ତ ସଠିକ ହୋଇନଥିଲେ ଦୋଷୀଟିଏ ଖସି ଯିବାର ବହୁତ ସମ୍ଭାବନା ଥାଏ ତେଣୁ ବୈଜ୍ଞାନିକ ଏବଂ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରି ଦୋଷୀ ସାବ୍ୟସ୍ତ ହାରରେ ଉନ୍ନତି ସଂକ୍ରାନ୍ତରେ ସେ ଗୁରୁତ୍ଵାରୋପ କରିଥିଲେ । ପୋସ୍କୋ ମାମଲା ଗୁଡିକରେ ତଦନ୍ତଶୈଳୀ, ବୃତ୍ତିଗତ ଦକ୍ଷତା, ବୈଜ୍ଞାନିକ ଏବଂ ବୈଷୟିକ ଜ୍ଞାନ କୌଶଳ ର ପ୍ରୟୋଗ ଯୋଗୁଁ ଖୁବ୍ କମ୍ ସମୟ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ଦୋଷୀ ସାବ୍ୟସ୍ତ ଏବଂ କଠୋର ଦଣ୍ଡରେ ଦଣ୍ଡିତ କରାଯାଇ ପାରିଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ।

ଏହା ସହ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ, ଚୋରା ବନ୍ଧୁକ କାରବାର, ଗଞ୍ଜେଇ ଚୋରା ଚାଲାଣ, ବ୍ରାଉନ ସୁଗର ଜବତ ଏବଂ ଗଞ୍ଜେଇ ଚାଷ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଡିଜିପି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ପୋଲିସ ପକ୍ଷରୁ ଅପରେସନ “ପ୍ରହାର”,“ଗଜ”,“ଚକ୍ର”,“ଅଗ୍ନି”, “ଗରୁଡ” ଭଳି ଅଭିଯାନ ଆରମ୍ଭ କରାଯାଇ ଦୁର୍ଦ୍ଦାନ୍ତ ଓ ଅଭ୍ୟାସଗତ ଅପରାଧୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମଧ୍ୟ ସେ କହିଥିଲେ।

ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା, ହିଂସାକୁ ରୋକିବା ଏବଂ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଡିଜିପି କହିବା ସହିତ ନାଗରିକମାନେ ଯେପରି ଭୟ ଏବଂ ବିପଦରୁ ମୁକ୍ତ ରହିପାରିବେ ତାହା ସୁନିଶ୍ଚିତ କରିବାକୁ ଆମେ ପ୍ରତିଶୃତିବଦ୍ଧ ବୋଲି ମଧ୍ୟ ଡିଜିପି କହିଥିଲେ । ଆଗାମୀ ଦିନରେ ପୋଲିସର ବୃତ୍ତିଗତ ଦକ୍ଷତା ବୃଦ୍ଧି, ଫରେନସିକ ତଦନ୍ତ ଏବଂ ସାଇବର ଅପରାଧରେ ଦକ୍ଷତା ହାସଲ ସମ୍ପର୍କରେ ଲକ୍ଷ୍ୟ ରଖାଯାଇଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ ।

ଏହି ପ୍ରତିଯୋଗିତାରେ ଆଙ୍ଗୁଳି ଛାପ, କମ୍ପୁଟର ଜ୍ଞାନ କୌଶଳର ଦକ୍ଷତା, ଫଟୋଗ୍ରାଫି, ନିରୀକ୍ଷଣ ପରୀକ୍ଷା, ସାଇବର ଅପରାଧ ଓ ସଂନିରୀକ୍ଷଣ, ପୋଲିସ ଆଇନ କାନୁନ, ପୋଲିସ ରୂପଚିତ୍ର, ମେଡିକୋ-ଲିଗାଲ, ପୋଲିସ ଶ୍ଵାନଙ୍କ କୌଶଳ ପ୍ରଦର୍ଶନ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ, ଶ୍ରୀ ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଇଛି । ଏହି ଅବସରରେ ଶ୍ରୀ ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡି.ଆଇ.ଜି, କ୍ରାଇମବ୍ରାଞ୍ଚ, ଶ୍ରୀ ବି. ଗଙ୍ଗାଧର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ପୋଲିସର ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।


No Result
View All Result