ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ସୋମବାର) ହିଞ୍ଜିଳିକାଟୁ :- ଶନିବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ବାଦିଆମ୍ବଗାଁରେ ଗୋଟିଏ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ, ବାଦିଆମ୍ବଗାଁର ଛବିନା ପଣ୍ଡା ଶନିବାର ରାତି ପ୍ରାୟ ସାଢେ ୧୦ଟାରେ ଘର ବାରଣ୍ଡାରେ ବସିଥିବା ବେଳେ ସଂପୃକ୍ତ ଗ୍ରାମ ଧୋବା ସାହିର ଗୋଟିଏ ଗୋଷ୍ଠୀର ୪୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଆସି ଅସଭ୍ୟ ଭାଷାରେ ଗାଳି ଗୁଲୁଜ କରିବା ସହ ମହିଳାଙ୍କୁ ଟଣାଓଟରା କରିଥିଲେ । ମହିଳାଙ୍କ ଚିତ୍କାର ଶୁଣି ଘର ଭିତରେ ଥିବା ମହିଳାଙ୍କ ଭାଇ ନରସିଂହ ପଣ୍ଡା ଆସି ଉତ୍ୟକ୍ତ ଲୋକଙ୍କୁ ବିରୋଧ କରିଥିଲେ । ଫଳରେ ଉତ୍ୟକ୍ତ ଲୋକେ ଯୁବକଙ୍କୁ ମାଡ଼ ମାରିବା ସହ କାବୁ କରି ଗ୍ରାମର ଏକ ଖୁଂଟରେ ବାନ୍ଧି ଦେଇଥିଲେ । କୌଣସି ସୁତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ବନ୍ଧା ହୋଇଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ ।
ଏ ନେଇ ଆହତ ଯୁବକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଗତ ୧୯.୦୪.୨୦୧୯ ତାରିଖରେ ଗ୍ରାମର ହୋଇଥିବା ଏକ ଗଣ୍ଡୋଗୋଳ ଘଟଣାରେ ଯୁବକ ଜଣକ ଗ୍ରାମର କିଛି ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତାଲା ଦେଇଥିବାରୁ ପୂର୍ବ ଶତୃତାକୁ କେନ୍ଦ୍ର କରି ଗ୍ରାମ ଧୋବା ସାହିର କିଛି ଲୋକ ସଂପୃକ୍ତ ଯୁବକ ସମେତ ତାଙ୍କ ଭଉଣୀଙ୍କୁ ଆକ୍ରମଣ କରିଥିବା ନେଇ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୩୨୨/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ସୁତ୍ରରୁ ପ୍ରକାଶ । ଅନ୍ୟ ପକ୍ଷରେ ଯୁବକ ଜଣକ ବହୁ ସମୟରେ ମଦ୍ୟପାନ କରି ଗ୍ରାମର ବହୁ ଝିଅ, ବୋହୁଙ୍କୁ କମେଂଟ କରୁଥିବାରୁ ଗ୍ରାମବାସୀ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଗ୍ରାମରେ ଚର୍ଚ୍ଚା ଚାଲିଛି । (ହିଞ୍ଜିଳିକାଟୁ/ଶେଷଦେବ ସାହୁ)














