ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ଶନିବାର) ହିଞ୍ଜିଳିକାଟୁ :- ଲୋକେ ଦେଖି ବନ ବିଭାଗକୁ ଖବର ଦେଲେ । ଶେଷରେ କୁମ୍ଭୀରକୁ ଉଦ୍ଧାର କରାଗଲା । ସାନଖେମୁଣ୍ଡି ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତଲାସିଙ୍ଗି ଗ୍ରାମରେ ଅନେକ ଧାନ ବିଲରେ ପାଣି ଭରି ରହିଛି । ତେବେ ଏକ ଧାନ ବିଲରେ ଶନିବାର କିଛି ଲୋକ ଏକ କୁମ୍ଭୀରକୁ ଦେଖିଥିଲେ । ଏନେଇ ଗାଁ ସାରା ଆତଙ୍କ ଖେଳି ଯାଇଥିଲା । ପରେ ଏହି ଖବର ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ବନ ବିଭାଗକୁ ମଧ୍ୟ କୁମ୍ଭୀର ଥିବା ନେଇ ଖବର ଦିଆଗଲା ।
ଖବର ପାଇବା ପରେ ବନ ବିଭାଗ ଆସି କୁମ୍ଭୀରକୁ ଉଦ୍ଧାର କରିଥିଲା । ଦିଗପହଣ୍ଡି ଫରେଷ୍ଟ ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ କୁମ୍ଭୀରକୁ ଉଦ୍ଧାର କରାଯାଇଥିଲା । ଏହାପରେ ତାକୁ ଘୋଡାହାଡ଼ ଡ୍ୟାମରେ ଛଡା ଯାଇଛି । ତେବେ କୁମ୍ଭୀରଟି ନିକଟରେ ଥିବା କୌଣସି ନାଳ କିମ୍ବା ନଦୀରୁ ବିଲକୁ ପସି ଆସିଥିବା କୁହାଯାଉଛି । (ହିଞ୍ଜିଳିକାଟୁ ଶେଷଦେବ ସାହୁ)