No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶାର ସବୁଠାରୁ ବଡ଼ ପରିବହନ କେନ୍ଦ୍ର ଭାବେ ପରିଚିତ ବାବାସାହେବ ଭୀମ୍ ରାଓ ଆମ୍ବେଦକର ବସ୍ ଟର୍ମିନାଲ (ବିଏସଏବିଟି) ର ୧୧୨ ଦୋକାନ ଗୃହକୁ ଆବଣ୍ଟନ ପାଇଁ ଗୁରୁବାର ଏକ ଲଟେରି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ କେ-୭ କଳିଙ୍ଗ ବିହାର ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀଙ୍କ ଉପସ୍ଥିତିରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଲଟେରି ଜରିଆରେ ଚୟନ କରାଯାଇଛି ।
ମାସିକ ଭଡା ଭିତ୍ତିରେ ପ୍ରାୟ ୧୧୨ଟି ଦୋକାନ ଆବଣ୍ଟନ ପାଇଁ ଲଟେରି ପ୍ରକ୍ରିୟା କରାଯାଇଥିଲା । ବିଏସଏବିଟିର ନିର୍ମାଣ ପୂର୍ବରୁ ପୁରୁଣା ବରମୁଣ୍ଡା ବସ୍ ଟର୍ମିନାଲ ପରିଚାଳନା କରୁଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ଦ୍ୱାରା କରାଯାଇଥିବା ଏକ ବିସ୍ତୃତ ସର୍ଭେ ଆଧାରରେ ହିତାଧିକାରୀମାନଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଥିଲା। ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଲଟେରି ବ୍ୟବସ୍ଥା ହୋଇଥିଲା ।
ସ୍ୱଚ୍ଛତା ଓ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟବେକ୍ଷକ ଭାବେ ସ୍ମାର୍ଟସିଟି ଲିମିଟେଡ଼ର ଜେନେରାଲ୍ ମ୍ୟାନେଜର ପୁରନ୍ଦର ନନ୍ଦ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ହିତାଧିକାରୀମାନେ ଲଟେରି ବାକ୍ସରୁ ନିଜର ମନପସନ୍ଦର କାଗଜ ଉଠାଇ ଥିଲେ । ହିତାଧିକରୀଙ୍କ ଯେଉଁ ଦୋକାନ ଘର ନମ୍ୱର୍ ଉଠିଥିଲା, ସେମାନଙ୍କୁ ସେହି ଦୋକାନ ଘର ଆବଣ୍ଟନ ପାଇଁ ଚୟନ କରାଯାଇଛି ।
ବିଡିଏର ଉପାଧ୍ୟକ୍ଷ ଡ।.ଏନ୍ ତିରୁମାଲା ନାଏକ ଦୋକାନ ମାଲିକମାନଙ୍କୁ ସ୍ୱଚ୍ଛତା ଏବଂ ଗ୍ରାହକ ସେବାର ଉଚ୍ଚ ମାନଦଣ୍ଡ ବଜାୟ ରଖିବାକୁ ନିବେଦନ କରିଛନ୍ତି। ସେ ସମସ୍ତ ଦୋକାନ ମାଲିକଙ୍କୁ ସର୍ବୋଚ୍ଚ ମାନଦଣ୍ଡ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ଏବଂ ଯାତ୍ରୀ-ଅନୁକୂଳ ସେବା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି । ସେହିଭଳି ସର୍ବଦା ଯାତ୍ରୀ ସୁବିଧା ଉପରେ ମୁଖ୍ୟ ଧ୍ୟାନ ରହିବା ଉଚିତ ବୋଲି ଶ୍ରୀ ନାଏକ ଗୁରୁତ୍ୱାରୋପ କରିଥିଲେ।
ଦୋକାନଗୁଡ଼ିକ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପାଣି ସଂଯୋଗ ଏବଂ ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା ରହିଛି । ହିତାଧିକାରୀମାନଙ୍କୁ ସେମାନଙ୍କର ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବିଡିଏ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି । ୧୧ ଏକର ଜମିରେ ବିସ୍ତୃତ, ବିଏସଏବିଟି ହେଉଛି ଓଡ଼ିଶାର ସବୁଠାରୁ ବଡ଼ ବସ୍ ଟର୍ମିନାଲ, ଯାହା ପ୍ରତିଦିନ ୧୫୦୦ ରୁ ଅଧିକ ବସ୍ ଏବଂ ପ୍ରାୟ ୨୦,୦୦୦ ଯାତ୍ରୀଙ୍କୁ ପରିଚାଳନା କରେ ।
ଏହା ବର୍ତ୍ତମାନ ଆନ୍ତଃରାଜ୍ୟ ଏବଂ ରାଜ୍ୟ ମଧ୍ୟରେ ରୁଟ୍ ସେବା ପ୍ରଦାନ କରେ, ଯାହା ଏହାକୁ ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବହନ କେନ୍ଦ୍ର ଭାବେ ଗଢି ତୋଳିଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର (ଆଡମିନ୍) ସ୍ନିଗ୍ଧାରାଣୀ ଧଳ, ଡେପୁଟି କମିଶନର (ଟିପି ସ୍କିମ) ଭବତାରଣ ସାହୁ, ମ୍ୟାନେଜର (ବିଏସ୍ଏବିଟି)ଇତିକାନ୍ତ ମହାପାତ୍ର, ଯୁଗ୍ମ କମିଶନର (ଏନଫୋରମେଣ୍ଟ) ତଥା ବିଏସ୍ଏବିଟିର ସ୍ବତନ୍ତ୍ର ଅଧିକାରୀ ରଞ୍ଜନ କୁମାର ଜେନା,ଅତିରିକ୍ତ କମିଶନର (ଇଷ୍ଟେଟ୍-୨) ମନୋଜ ସ୍ୱାଇଁଙ୍କ ସମେତ ବହୁ ବିଡିଏ ଅଧିକାରୀମାନେ ଉପସ୍ଥିତ ଥିଲେ ।

No Result
View All Result